ଓଡ଼ିଶା365(ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ଼ ଆକ୍ସନ । ଅମୃତସର ଓ ଚଣ୍ଡିଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ । ଏହାସହ ଚଣ୍ଡୀଗଡ଼ ସ୍ଥିତ ଘର ମଧ୍ୟ ଜବତ ହୋଇଛି। ୨୦୨୦ ପୂର୍ବରୁ ବି ପନ୍ନୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ପନ୍ନୁ ବର୍ତ୍ତମାନ ଆମେରିକାରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଅମୃତସର ଉପକଣ୍ଠରେ ଥିବା ପନ୍ନୁଙ୍କ ପୈତୃକ ଗାଁ ଖାନକୋଟରେ କୃଷି ସମ୍ପତ୍ତି ବି ରହିଛି। ଏନଆଇଏ ଦ୍ୱାରା ଜବତ ହୋଇଥିବା ପନ୍ନୁର ଆଉ ଏକ ସମ୍ପତ୍ତି ହେଉଛି ଚଣ୍ଡିଗଡ଼ର ସେକ୍ଟର ୧୫-ସିରେ ଥିବା ତାଙ୍କ ଘର ନମ୍ବର ୨୦୩୩ । ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚାରି ମେଟ୍ରୋ ଷ୍ଟେସନରେ ଖଲିସ୍ତାନ ସପକ୍ଷ ସ୍ଲୋଗାନ ଲେଖାଯାଇଥିଲା । ପନ୍ନୁଙ୍କ ନିର୍ଦ୍ଦେଶରେ ହିଁ ପଞ୍ଜାବର କିଛି ଖଲିସ୍ତାନ ସମର୍ଥକ ଏଭଳି ସ୍ଲୋଗାନ ଲେଖିଥିବା ଜଣାପଡ଼ିଛି । କାନାଡା ଓ ଆମେରିକାର ନାଗରିକତା ନେଇଥିବା ପନ୍ନୁ ସବୁବେଳେ ଭାରତ ବିରୋଧୀ ପ୍ରଚାର ଚଳାଇଥାଏ । ବିଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ ଆକ୍ରମଣ ପଛରେ ବି ତାର ସମ୍ପୃକ୍ତି ଥିବା ଏନଆଇଏ କହିଛି । ସମ୍ପତ୍ତି ଅଧିଗ୍ରହଣ କରିବା ପାଇଁ ମୋହାଲିର ଏସଏଏସ ନଗରରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।