ଓଡ଼ିଶା 365 (ବ୍ୟୁରୋ): ନିଦରୁ ଉଠୁନି ବିକ୍ରମ । ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଇସ୍ରୋ ଚେଷ୍ଟା କରୁଛି । ମାତ୍ର ତାହା ସଫଳ ହେଉନି। ଚନ୍ଦ୍ର ପୃଷ୍ଠରେ ସେମାନଙ୍କ ନିଦ ଭାଙ୍ଗିଲାଣି କି ନାହିଁ, ଜାଣିବାକୁ ସମ୍ପର୍କ ମଧ୍ୟ ସ୍ଥାପନ କରାଯାଉଛି। ଚନ୍ଦ୍ର ପୃଷ୍ଠରେ ଉଭୟ ବିକ୍ରମ ଓ ପ୍ରଜ୍ଞାନର ନିଦ ନଭାଙ୍ଗିବା ଇସ୍ରୋର ଟେନସନ ବଢାଉଛି। ମାତ୍ର ବର୍ତ୍ତମାନ ଚନ୍ଦ୍ରପୃଷ୍ଠରୁ କୌଣସି ସିଗ୍ନାଲ ମିଳିପାରୁ ନାହିଁ । ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ୟ୍ୟୋଦୟ ହେବାକଥା। ରୋଭର୍ ପ୍ରଜ୍ଞାନ ନିଦରୁ ଉଠିଥାନ୍ତେ ବୋଲି ଇସ୍ରୋ ଆଶା ରଖିଥିଲା। ମାତ୍ର ଏଯାଏଁ ତାହା ସଫଳ ହୋଇନାହିଁ। ଶୁକ୍ରବାର ଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି। ପୃଥିବୀ ସମୟ ଅନୁସାରେ ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ସେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ଥିଲା । ଏହି ତାପମାତ୍ରାକୁ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ସହ୍ୟ କରିବା କାଠିକର ପାଠ।
ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖିଥିଲା ଇସ୍ରୋ। କେବଳ ରିସିଭରକୁ ଅନ୍ ରଖି ବାକି ସବୁ ଯନ୍ତ୍ରପାତିକୁ ବନ୍ଦ କରିଦିଆଯାଇଥିଲା। ଏହା ମଧ୍ୟରେ ୨ ସପ୍ତାହରୁ ଅଧିକ ସମୟ
ବିତିଯାଇଛି । ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି।
ଏକଥା ମଧ୍ୟ କୁହାଯାଉଛି ଅସହ୍ୟ ଥଣ୍ଡା ସର୍ତ୍ତେ ଯନ୍ତ୍ରପାତି ଠିକ୍ ଥିଲେ, ଲ୍ୟାଣ୍ଡର ବିକ୍ରମ ମଧ୍ୟ ସିଗନାଲ ଦେଇପାରେ । ଲ୍ୟାଣ୍ଡର ବିକ୍ରମ ନିଦରୁ ଉଠିଲେ ପୁଣି ଥରେ ଅନୁସନ୍ଧାନ ଜାରି ରହିବ ବୋଲି ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି। ପୃଥିବୀ ସମୟ ଅନୁସାରେ ପ୍ରତି ୧୪ ଦିନ ଅନ୍ତରରେ ଚନ୍ଦ୍ରରେ ଦିନ ଓ ରାତି ହୋଇଥାଏ । ଚନ୍ଦ୍ରରେ ୧୪ ଦିନ ଅନ୍ଧାର ଏବଂ ୧୪ ଦିନ ସୂର୍ଯ୍ୟାଲୋକ ପଡ଼ିଥାଏ। ତେବେ ଶୁକ୍ରବାର ଠାରୁ ସେଠାରେ ସୂର୍ଯ୍ୟୋଦୟ ହୋଇସାରିଥିବା କୁହାଯାଉଥିବାବେଳେ , କେମିତି ଭାଙ୍ଗିବ ବିକ୍ରମ ଓ ପ୍ରଜ୍ଞାନର ନିଦ।
ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରପୃଷ୍ଠରେ ଆବଶ୍ୟକ ଚାର୍ଜ ଓ ତାପମାତ୍ରା ମିଳିବା ପରେ ହିଁ ଲ୍ୟାଣ୍ଡର ବିକ୍ରମର ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହେବ । ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହେବା ପରେ ଲ୍ୟାଣ୍ଡର ବିକ୍ରମ ପାଖରୁ ଇସ୍ରୋକୁ ସିଗ୍ନାଲ୍ କନଫରମେସନ୍ ମିଳିବ । ଇସ୍ରୋ ପକ୍ଷରୁ କମାଣ୍ଡ ପଠାଯିବ ଏବଂ ବିକ୍ରମର ରିସିଭର୍ ଏହାକୁ ଗ୍ରହଣ କରି ଜବାବ ଦେବା ପରେ ହିଁ ତାହା ନିଦରୁ ଉଠିଲା ବୋଲି ଜଣାପଡିବ । କେବେ ଭାଙ୍ଗିବ ବିକ୍ରମ ଓ ପ୍ରଜ୍ଞାନ ନିଦ,ଇସ୍ରୋ ଏ ପ୍ରଚେଷ୍ଟା ସଫଳ ହେଉ ବୋଲି ଆଶି ରଖିଛନ୍ତି ବିଶ୍ୱବାସୀ ।