ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ଲୋକଙ୍କୁ ମନୋରଞ୍ଜନ କରିବାକୁ ଆସୁଛି ‘ମାଇଣ୍ଡ ଗେମ୍’ । ଯାହା ୪ଟି ଭାଷାରେ ରିଲିଜ୍ ହେବ । ହେଲେ ଏପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇପାରି ନାହିଁ, ତେବେ ଅକ୍ଟୋବର ମାସରେ ହିଁ ଏହା ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଓ ମୁଖ୍ୟ ଅଭିନେତା ମନୋଜ ମିଶ୍ର କହିଛନ୍ତି। ଶ୍ରୀଧର କହିଛନ୍ତି ଯେ, ଫିଲ୍ମର ସବୁ କାମ ସରିଯାଇଛି। ଆସନ୍ତା ୬ କିମ୍ବା ୧୩ ତାରିଖରେ ଏହା ମୁକ୍ତିଲାଭ କରିବ। ଏହି ଫିଲ୍ମଟି ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।
ଏଥିରେ ମନୋଜ ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହାସହ ସବୁଠୁ ବଡ଼ କଥା ହେଉଛି ଏହି ଫିଲ୍ମରେ ବଲିଉଡ୍ ଓ ଟଲିଉଡ୍ର ବହୁ ବିଶିଷ୍ଟ କଳାକାଳ ଅଭିନୟ କରିଛନ୍ତି। ବଲିଉଡ୍ର ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ତ୍ତିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପ୍ସରା ରାଣୀ ପ୍ରମୁଖଙ୍କ ନିଖୁଣ ଅଭିନୟ ଫିଲ୍ମରେ ଦେଖିବାକୁ ମିଳିବ। ଅତୁଲ କୁଲକର୍ଣ୍ଣି ଓଡ଼ିଆ ଭାଷାରେ ନିଜେ ଡବିଂ କରିଛନ୍ତି। ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଆଗଧାଡ଼ିର ଜଣାଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର୍ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।