ଓଡ଼ିଶା365(ବ୍ୟୁରୋ): ଖଟିଆରେ ଶୋଇଥିବା ୬ ମାସର ଶିଶୁକୁ ମୂଷାମାନେ ୫୦ରୁ ଅଧିକ ଥର କାମୁଡ଼ି ଗୁରୁତର କରିଦେଇଥିବା ପୁଲିସଠାରୁ ସୂଚନା ସଂଗ୍ରହ କରି ରିପୋର୍ଟ କରିଛି ‘ୟୁଏସ୍ଏ ଟୁଡେ। ‘ୟୁଏସ୍ଏ ଟୁଡେ’ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୩ରେ ଆମେରିକାର ଇଣ୍ଡିଆନାରେ ଏହି ଘଟଣା ଘଚିଥିଲା। ୬ ମାସର ଶିଶୁର ଦେହସାରା କ୍ଷତ ହୋଇଥିବା କଥା ତା’ର ବାପାଙ୍କଠାରୁ ସୂଚନା ପାଇ ଇଭାନ୍ସ୍ଭାଇଲ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପିଲାକୁ ଅବହେଳା କରିଥିବା ଓ ଅନ୍ୟାନ୍ୟ ଅପରାଧିକ ମାମଲା ଦର୍ଶାଇ ପୁଲିସ ଶିଶୁଟିର ବାପା ଡେଭିଡ୍ ଓ ମାଆ ଏଞ୍ଜେଲ୍ ସ୍କୋନାବାଉମ୍ଙ୍କୁ ଗିରଫ କରିଛି। ଏପରିକି ଶିଶୁଟିର ମାଉସୀ ଡିଲେନିଆ ଥର୍ମ୍ୟାନ୍ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ରିପୋର୍ଟରେ ଉଲ୍ଲେଖ । ଚିକିତ୍ସା ପରେ ପିଲାଟିକୁ ଅନ୍ୟଜଣଙ୍କ ତତ୍ତ୍ବାବଧାନରେ ରଖାଯାଇଛି।
ଆହତ ଶିଶୁ, ମାଉସୀ ଏବଂ ତାଙ୍କର ୨ଟି ପିଲା ସମେତ ମୋଟ ୩ ଜଣ ପିଲାଙ୍କ ସହିତ ଏହି ଦମ୍ପତି ଗୋଟିଏ ଘରେ ରହୁଥିଲେ। ପୁଲିସ କହିଛି, ସେମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ, ମୁଣ୍ଡ ଓ ମୁହଁରେ ୫୦ରୁ ଅଧିକ କାମୁଡ଼ା କ୍ଷତ ହୋଇ ୬ ମାସର ପିଲାଟି ରକ୍ତ ଜୁଡୁବୁଡୁ ହୋଇଯାଇଛି। ସେତିକି ନୁହେଁ, ତା’ର ହାତ ଓ ଗୋଡ଼ ଆଙ୍ଗୁଠିରୁ ମୂଷା ମାଂସ ନେଇ ଯାଇଥିବାରୁ ହାଡ଼ ଦିଶୁଥିବା କଥା ‘ଆରେଷ୍ଟ ଆଫିଡେଭିଟ୍’ରେ ପୁଲିସ ଡିଟେକ୍ଟିଭ୍ ଜନାଥନ୍ ହେଲ୍ମ୍ ଲେଖିଛନ୍ତି। ବେଶୀ କ୍ଷତିଗ୍ରସ୍ତ ହୋଇଛି ଛୁଆଟିର ବିଶି ଓ କାଣି ଆଙ୍ଗୁଠି।
ଶିଶୁକୁ ବିମାନ ଯୋଗେ ଇଣ୍ଡିଆନାପଲିସ୍ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ତା’ ଶରୀରର ତାପମାତ୍ରା ୯୩.୫ ଡିଗ୍ରିକୁ ଖସି ଆସିବାରୁ ଡାକ୍ତରମାନେ ତାକୁ ରକ୍ତ ଦେଇଥିଲେ। ପୁଲିସଠାରୁ ସୂଚନା ସଂଗ୍ରହ କରି ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି ଯେ, ସେ ପିଲାର ଘର ଆବର୍ଜନା, ଝାଟୁଆ ଓ ମୂଷାଲଣ୍ଡିରେ ପରିପୂର୍ଣ୍ଣ। ମାର୍ଚ ମାସରୁ ଆରମ୍ଭ ହୋଇଥିବା ମୂଷାଙ୍କ ଦୌରାତ୍ମ୍ୟରୁ ରକ୍ଷା କରିବା ଲାଗି ‘ଟର୍ମିନିକ୍ସ୍ ଏକ୍ଷ୍ଟର୍ମିନେଟର୍’ମାନେ ଘରେ ଔଷଧପତ୍ର ପକାଉଛନ୍ତି ବୋଲି ପିଲାର ବାପା କହିଛନ୍ତି। ସମ୍ପ୍ରତି ବିନା ବଣ୍ଡ୍ରେ ପିଲାର ବାପାଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି। ମାଆଙ୍କୁ ୧୦ ହଜାର ଡଲାର୍ ବଣ୍ଡ୍ରେ ଅଟକ ରଖାଯାଇଛି। ସେହିପରି, ମାଉସୀଙ୍କ ନାଁ’ରେ ଦାୟିତ୍ବହୀନତା ଅଭିଯୋଗ ଆରୋପ କରାଯାଇ ୨୫୦୦ ଡଲାଣ୍ ବଣ୍ଡ୍ରେ ଜେଲ୍ରେ ରଖାଯାଇଛି।