ଓଡ଼ିଶା 365 (ବ୍ୟୁରୋ): ବାହାରିବ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ସମସ୍ୟାର ସମାଧାନର ବାଟ । ଶିକ୍ଷକ ମହାସଂଘ ସହ ଆଲୋଚନା ପାଇଁ CMO ଅଫିସରୁ ଆସିଛି ଡାକରା। ପିଲାଙ୍କ ପାଠପଢା ପ୍ରଭାବିତ ନହେବା ପାଇଁ ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ମଧ୍ୟରେ ଆଲୋଚନା ହେବ । ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ତେବେ ଆଲୋଚନାରେ ଯୋଗଦେବା ପାଇଁ ୮ଟି ଶିକ୍ଷକ ସଙ୍ଗଠନ ସହମତି ପ୍ରକାଶ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ମହାସଚିବ ଚାରୁଲତା ମହାପାତ୍ର ।
ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ମହାସଚିବ କହିଛନ୍ତି ଯେ, ଆଲୋଚନା ପାଇଁ ଆମେ ଆଶାବାଦୀ । ଆମେ ଯେତେ ସଂଘ ଆନ୍ଦୋଳନ କରୁଥିଲୁ, ସେଥି ମଧ୍ୟରୁ କେବଳ ଗୋଟିଏ ସଂଘକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସଂଘ ଆଲୋଚନାରେ ଯୋଗଦେବେ । କଳା ଓ କ୍ରୀଡ଼ା ଶିକ୍ଷକଙ୍କ ସଂଘର ପ୍ରତିନିଧି ମଧ୍ୟ ରହିବେ ବୋଲି ଚାରୁଲତା କହିଛନ୍ତି । ଉଲ୍ଲେଖଯୋଗ୍ୟ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ତରଫରୁ ଡାକରା ଦିଆଯାଇ ଥିବା ଆନ୍ଦୋଳନ ଗତ ୧୮ ତାରିଖରୁ ସ୍ଥଗିତ ରହିଛି । ଏହି ଆନ୍ଦୋଳନ ବେଳେ ମୁଖ୍ୟମନ୍ତ୍ରୀ କିମ୍ୱା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡା ଯାଇଥିଲା । ତେବେ ସେମାନଙ୍କ ଅନୁରୋଧ ଅନୁସାରେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଆଜି ଡକାଯାଇଛି । ଆଜି ଆଲୋଚନା ପରେ କଣ ନିଷ୍କର୍ସ ବାହାରୁଛି ତାହୁ ହିଁ ଅପେକ୍ଷା।