ଓଡ଼ିଶା 365 (ବ୍ୟୁରୋ) : ପ୍ରସ୍ତୁତି ଶେଷ ଆଉ ମାତ୍ର କେଇ ଘଣ୍ଟା ପରେ ହାଙ୍ଗଝୌ ସ୍ପୋର୍ଟ୍ସ ପାଇଁ ବାଜିବ ଏସିଆଡ୍ ବିଗୁଲ। ଉଦଘାଟିତ ହେବ ୧୯ତମ ଏସିଆନ୍ ଗେମ୍ସ- ୨୦୨୩ ।ଏହି ଏସୀୟ କ୍ରୀଡା ମହାକୁମ୍ଭ ଉପରେ ରହିଛି ସଭିଙ୍କ ନଜର। କରୋନା ମହାମାରୀ ଯୋଗୁ ୧୯ତମ ଏସିଆଡ୍କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଷ୍ଟାଡିୟମ ପୂର୍ବଭଳି କୋଳାହଳମୟ ମଧ୍ୟ ଦେଖିବାକୁ ମିଳିଛି । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଲୋକମାଳାରେ ଝଲସି ଉଠିବ ହାଙ୍ଗଝୌ । ଆୟୋଜକ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ୍ କ୍ରୀଡ଼ାର ଶୁଭ ଉଦ୍ଘାଟନ କରିବେ । ଏସିଆନ୍ ଗେମ୍ସ ଶନିବାରଠୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ହାଙ୍ଗଝୌ କ୍ରୀଡ଼ାରେ ଏସିଆର ୪୫ଟି ଦେଶରୁ ୧୨ ହଜାରରୁ ଊଦ୍ଧ୍ୱ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ୪୦ଟି କ୍ରୀଡ଼ା ୬୧ଟି ଶୃଙ୍ଖଳା ଏବଂ ୪୮୧ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ । ଭାରତ ପୂର୍ବାପେକ୍ଷା ଏଥର ଏକ ବଡ଼ ଦଳ ହାଙ୍ଗଝୌ ପଠାଇଛି । ଏହି ଦଳରେ ୬୫୫ ଜଣ କ୍ରୀଡ଼ାବିତ ସାମିଲ ରହିଛନ୍ତି । ଯେଉଁଥିରେ ୩୨୫ ଜଣ ମହିଳା କ୍ରୀଡ଼ାବିତ ଅଛନ୍ତି ।
କ୍ରିକେଟ୍ରେ ଉଭୟ ପୁରୁଷ ମହିଳା ଦଳ ପ୍ରଥମ କରି ସାମିଲ ହୋଇଛନ୍ତି । ସେମିତି ଦୀଘ ୯ ବର୍ଷ ପରେ ଫୁଟବଲ ଦଳ ଭାଗ ନେଇଛି । ଭାରତୀୟ ଦଳ ୩୫ଟି କ୍ରୀଡ଼ାରେ ଭାଗ ନେବ । ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ପତାକା ଧାରଣ କରିବେ ଦୁଇ ଅଲିମ୍ପିକ୍ସ ପଦକ ବିଜେତା ହର୍ମନପ୍ରୀତ ସିଂ ଓ ଲଭଲିନା । ୨୦୧୮ ଏସିଆଡ୍ରେ ଭାରତକୁ ୧୬ ସ୍ୱର୍ଣ୍ଣ ସହ ମୋଟ୍ ୭୦ଟି ପଦକ ମିଳିଥିଲା । ଏଥର କ୍ରୀଡ଼ାବିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପଦକ ସଂଖ୍ୟା ୧୦୦ ଅତିକ୍ରମ କରିବ ବୋଲି ଆଶା ରଖିଛି କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ । ଓଡ଼ିଶାର ସାଇକ୍ଲିଷ୍ଟ ଦିନେଶ କୁମାରଙ୍କୁ ମିଶାଇ ମୋଟ୍ ୧୪ ଜଣ ଓଡ଼ିଆ ସାମିଲ ହୋଇଛନ୍ତି ଭାରତୀୟ ଦଳରେ।