ଓଡ଼ିଶା 365 (ବ୍ୟୁରୋ): ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ରାଧାଷ୍ଟମୀ ପର୍ବ । ରତ୍ନ ସିଂହାସନରେ ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀଦେବୀଙ୍କୁ ସିଂହାସନରେ ବିଜେ କରାଯାଇଥାଏ। ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ଖଟରେ ବିଜେ କରାଇଥାନ୍ତି। ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି। ସୁନା ହରିଡ଼ାମାଳି, କମରପଟି ଓ ଦୟଣାମାଳି ଚୂଳଲାଗି ହୋଇ ବଡ଼ଦେଉଳକୁ ବେଢ଼ାଏ ବୁଲି ସିଂହଦ୍ୱାର ବାଟେ ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀଯମେଶ୍ୱର ମନ୍ଦିରସ୍ଥ ଜହ୍ନିମୁଣ୍ଡିଆ ଉପରେ ଚଉଦୋଳକୁ ବିଜେ କରାଇଥାନ୍ତି। ସେଠାରେ ପ୍ରସାଦ ଲାଗି, ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ। ଏହିଦିନ ଯମେଶ୍ୱର ମହାଦେବଙ୍କ ମନ୍ଦିର ଗମ୍ଭୀରାଠାରେ ପାଳିତ ହୋଇଥାଏ ସ୍ୱତନ୍ତ୍ର ନୀତି।
ସେପଟେ ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବେ। ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନୀତି ସମ୍ପର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।