ଓଡ଼ିଶା365(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ହେବ ବିଶାଳ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ । ଯାହାର ଡିଜାଇନକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ବାରଣାସୀର ରାଜାତାଲାବ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନରେ ଦେଖିବାକୁ ମିଳିବ ଦେବ ଦେବ ମହାଦେବ ଶିବଙ୍କ ଝଲକ। ସେପ୍ଟେମ୍ବର ୨୩ ତାରିଖରେ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ତେବେ ଏହି ଷ୍ଟାଡିୟମର ଡିଜାଇନରେ ଥିବା ଭିନ୍ନତାକୁ ଜାଣିବାକୁ ଆଗ୍ରହର ସହ ଅନାଇ ରହିଛନ୍ତି କ୍ରିକେଟପ୍ରେମୀ। ବାରଣାସୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମଟି ମହାଦେବଙ୍କ ଥିମ୍ ଉପରେ ରହିବ । ଷ୍ଟାଡିୟମର ଛାତ ଭଗବାନ ଶିବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧଚନ୍ଦ୍ର ଭଳି ରହିବ । ସେହିଭଳି ତ୍ରିଶୁଳ ଆକାରର ଫ୍ଲଡ ଲାଇଟ, ବେଲପତ୍ର ଡିଜାଇନର ପ୍ରବେଶ ଦ୍ୱାର ରହିବ । ଷ୍ଟାଡିୟମର ବିଶ୍ରାମଗାର ଡମ୍ବରୁ ଭଳି ଡିଜାଇନରେ ନିର୍ମାଣ କରାଯିବ । ଏହାସହ ଦର୍ଶକଙ୍କ ବସିବା ପାଇଁ ଷ୍ଟାଡିୟମରେ ସିଢି ଭଳି ବ୍ୟବସ୍ଥା କରାଯିବ ।
ଆଗାମୀ ୩୦ ମାସ ମଧ୍ୟରେ ଏହି ଷ୍ଟାଡିୟମର ନିୁର୍ମା୍ଣ ସରିବ ବୋଲି କିହାଯାଇଛି । ୩୦ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ପାଖାପାଖି ୪୫୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଉତ୍ତରପ୍ରଦେଶ ସରକାର ଜମି ଅଧିଗ୍ରହଣ ବାବଦକୁ ୧୨୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିସିସିଆଇ ଷ୍ଟାଡିୟମ ନିର୍ମାଣ ବାବଦକୁ ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବ। ଷ୍ଟାଡିୟମରେ ୩୦ ହଜାର ଦର୍ଶକ ବସି ଖେଳ ଦେଖିବାର ବ୍ୟବସ୍ଥା ରହିବ । ଷ୍ଟାଡିୟମରେ ୭ଟି ପିଚ୍ ସହ ଷ୍ଟାଡିୟମ ବାହାରେ ଏକ ଛୋଟ ଗ୍ରାଉଣ୍ଡ ରହିବ ଏବଂ ପାର୍କିଂ ପାଇଁ ବ୍ୟବସ୍ଥା ରହିବ। ଶିଳନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୁନୀଲ ଗାଭାସ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଷ୍ଟାଡିୟମ ନିର୍ମାଣ ପରେ ଏହା ଭିତରକୁ ପ୍ରବେଶ କଲେ ଦର୍ଶକ ଶିବମୟ ପରିବେଶ ଅନୁଭବ କରିପାରିବେ।