ଓଡ଼ିଶା 365 (ବ୍ୟୁରୋ) : ଜଳବାୟୁର ପରିବର୍ତ୍ତନ ଯୋଗୁ ହେଉଥିବା ଭାଇରାଲ ଜ୍ୱରକୁ ହାଉକାରେ ନେବା ଉଚିତ୍ ନୁହେଁ । କୌଣସି ପ୍ରକାରର ଅବହେଳା ପୀଡ଼ିତଙ୍କ ନିମନ୍ତେ ବିପଦଜନକ ସାବ୍ୟସ୍ତ ହୋଇପାରେ । ଭାଇରାଲ ଜ୍ୱର ଯଦି ୩ ଦିନରେ ନିୟନ୍ତ୍ରିତ ନ ହେଲା ତେବେ ତୁରନ୍ତ ଡେଙ୍ଗୁ, ଚିକେନଗୁନିଆ ଯାଞ୍ଚ କରାଇ ଚିକିତ୍ସାର ବ୍ୟବସ୍ଥା କରନ୍ତୁ । ଏହାକୁ ଅଣଦେଖା କଲେ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଜୀବନ ଉପରକୁ ବିପଦ ଘନେଇପାରେ ବୋଲି ବିଶେଷଜ୍ଞ ସତର୍କ କରିଛନ୍ତି। ବର୍ତ୍ତମାନ ସମୟରେ ହସ୍ପିଟାଲ ପହଞ୍ଚୁଥିବା ପ୍ରାୟ୨୫ ପ୍ରତିଶତ ରୋଗୀ ଭାଇରାଲ ଜ୍ୱରରେ ଆକ୍ରାନ୍ତ । ବଦଳୁଥିବା ପାଣିପାଗ ଏପରି ଜ୍ୱର ବ୍ୟାପିବାର ମୁଖ୍ୟ କାରଣ କୁହାଯାଉଛି । ଏହି ଜ୍ୱାରରୁ ଶିଶୁ, କିଶୋର ଓ ବୟସ୍କ ଲୋକେ ମଧ୍ୟ ବାଦେ ପଡୁ ନାହାନ୍ତି । ଏହା ଆଢୁଆଳରେ ଡେଙ୍ଗୁ ଓ ଚିକନ ଗୁନିଆ ହେବାର ବିପଦ ରହୁଛି । ଏଣୁ ଜ୍ୱରରେ ଚିକିତ୍ସା ପାଇଁ ପହଞ୍ଚୁଥିବା ଲୋକଙ୍କ ମଧ୍ୟରୁ ୧୫ ପ୍ରତିଶତ ଭାଇରାଲରେ ଆକ୍ରାନ୍ତ ରହୁଥିବା ଜଣାପଡିଛି । ଏପରି ଲୋକଙ୍କ ସ୍ୱତନ୍ତ୍ର ଚିକିତ୍ସା ସହିତ ଦେଖରେଖର ମଧ୍ୟ ଆବଶ୍ୟକତା ରହୁଛି। ଯଦି ଘରେ କାହାରିକୁ ଭାଇରାଲ ଜ୍ୱର ହେଉଛି ତେବେ ତାଙ୍କ ପିଇବା ପାଣି ସିଝାଇ ଥଣ୍ଡାକରି ପିଇବାକୁ ଦିଅନ୍ତୁ ।
ଡାକ୍ତରଙ୍କ ପରାମର୍ଶ ମୁତାବକ ନିର୍ଦ୍ଧାରିତ ସମୟରେ ଔଷଧ ଖଆନ୍ତୁ । ଏହା ବାଦେ ଯଦି ଜ୍ୱର ୩ ଦିନ ମଧ୍ୟରେ ନ ଛାଡୁଛି ତେବେ ପୁଣି ଡାକ୍ତରଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରନ୍ତୁ । ଭାଇରାଲ ଜ୍ୱର ଗୋଟିଏ ଗୋଟିଏ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଆକ୍ରାନ୍ତ କରୁଛି । ଏଥିରେ ଶିଶୁ ଓ ବୟଷ୍କ ଲୋକେ ବିଶେଷ ପ୍ରଭାବିତ ହେଉଛନ୍ତି । ଏଣୁ ଔଷଧ ଦୋକାନରେ ଲକ୍ଷଣ କହି ଔଷଧ ଆଣି ଚିକିତ୍ସା କରାଇବା ବଦଳେ ଜ୍ୱାରରେ ପୀଡ଼ିତଙ୍କୁ ହସ୍ପିଟାଲ ନେଇ ଡାକ୍ତର ଦେଖାଇ ତାଙ୍କ ପରାମର୍ଶ ମୁତାବକ ଦେଖରେଖ ଓ ଚିକିତ୍ସା କରନ୍ତୁ । ଏଥିରେ ଯଦି କାହାରିଠାରେ ଡେଙ୍ଗୁ କି ଚିକନଗୁନିଆ ପରୀକ୍ଷଣରେ ଆସୁଛି ତେବେ ବିଲମ୍ବ ନ କରି ତୁରନ୍ତ ଉପଚାର ବ୍ୟବସ୍ଥା କରନ୍ତୁ । ଭାଇରାଲ ଜ୍ୱରରେ ଆକ୍ରାନ୍ତ ଲୋକଙ୍କୁ ଖାଦ୍ୟରେ ଡାଲି ଓ ସବୁଜ ପନିପରିବା ପ୍ରସ୍ତୁତ ତରକାରୀ ଖାଇବାକୁ ଦିଅନ୍ତୁ। ରୋଗୀଙ୍କୁ ମସାରୀ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ୩ରୁ ୪ ଦିନ ମଧ୍ୟରେ ଯଦି ଜ୍ୱର ଉପସମ ନ ହେଲା ତେବେ ନିଶ୍ଚିତ ଡାକ୍ତରଙ୍କ ପରାମର୍ଶରେ ଯାଞ୍ଚ କରି ଯାଞ୍ଚ ରିପୋର୍ଟ ଅନୁସାରେ ଚିକିତ୍ସା କରାନ୍ତୁ। ଜ୍ୱରକୁ ଅବହେଳା କରନ୍ତୁ ନାହିଁ ।