ଓଡ଼ିଶା365(ବ୍ୟୁରୋ): ମୋହାଲି ଦିନିକିରେ ଦମଦାର ବିଜୟ ସହ ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନିକିଆରେ କଙ୍ଗାରୁ ଦଳକୁ ୫ ୱିକେଟରେ ହରାଇ ଟିମ୍ ଇଣ୍ଡିଆ ଆଇସିସି ଦିନିକିଆ ରାଙ୍କିଂର ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି। ଏହା ପୂର୍ବରୁ ଦଳ ଟେଷ୍ଟ ଓ ଟି-୨୦ ରାଙ୍କିଂରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି। ତେଣୁ ଏବେ କ୍ରିକେଟର ତିନଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନ ଦଖଲ କରିବାରେ ସଫଳ ହୋଇଛି । ମ୍ୟାଚ୍ ପୂର୍ବରୁ ଭାରତ ଓ ପାକିସ୍ତାନ ସମାନ ୧୧୫ ପଏଣ୍ଟ ଲେଖାଏଁ ପାଇ ଆଇସିସି ଦିନିକିଆର ରାଙ୍କିଂର ଯଥାକ୍ରମେ ୨ ନଂ ଓ ୧ନଂ ସ୍ଥାନରେ ଥିଲେ। ପାକିସ୍ତାନକୁ ପଛରେ ପକାଇବାକୁ ହେଲେ ଭାରତକୁ ଯେମିତି ହେଲେ ମୋହାଲି ଦିନିକିଆ ଜିତିବାର ଥିଲା। ତେବେ ଭାରତ ପ୍ରଥମେ ଦିନିକିଆ ବିଜୟ ସହ ପାକିସ୍ତାନକୁ ପଛରେ ପକାଇ ଦେଇଛି। ପାକିସ୍ତାନ ୧୧୫ ପଏଣ୍ଟ ସହ ୧ ନମ୍ବରରୁ ଦୁଇ ନମ୍ବର ସ୍ଥାନକୁ ଖସି ଯାଇଛି।
ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ସାଉଥ ଆଫ୍ରିକା ଚତୁର୍ଥ ସ୍ଥାନରେ , ୫ମ ସ୍ଥାନରେ ଇଂଲଣ୍ଡ, ଷଷ୍ଠ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ, ସପ୍ତମରେ ବାଂଲାଦେଶ, ଅଷ୍ଟମରେ ଶ୍ରୀଲଙ୍କା, ନବମ ସ୍ଥାନରେ ଆଫଗାନିସ୍ତାନ ଓ ଦଶମ ସ୍ଥାନରେ ୱେଷ୍ଟଇଣ୍ଡିଜ ରହିଛି। ଅନ୍ୟପକ୍ଷରେ ଟି-୨୦ କଥା ଦେଖିଲେ ଭାରତ ୨୬୪ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଇଂଲଣ୍ତ ଓ ପାକିସ୍ତାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଟେଷ୍ଟରେ ଭାରତ ଓ ଅଷ୍ଟ୍ରେଲିଆ ୧୧୮ ପଏଣ୍ଟ ଲେଖାଏଁ ପାଇଛନ୍ତି। ମାତ୍ର ମ୍ୟାଚ୍ ବିଜୟ ତୁଳନାରେ ଭାରତ ଏକ ନମ୍ବର ଓ ଅଷ୍ଟ୍ରେଲିଆ ୨ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ୧୧୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଇଂଲଣ୍ଡ ।