ଓଡ଼ିଶା365(ବ୍ୟୁରୋ): ଅକ୍ଟୋବର ୫, ୨୦୨୩ରୁ ଭାରତରେ ଖେଳାଯିବ ବିଶ୍ୱକପ। ବିଶ୍ବକପ୍ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଇସିସି ବିଶ୍ବକପ୍ ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା। ଅକ୍ଟୋବର ୫ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୯ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଉଦ୍ଘାଟନ ଏବଂ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।
ନଭେମ୍ବର ୧୯ ପର୍ଯ୍ୟନ୍ତ ଘରୋଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପାଇଁ ଅଧିକାଂଶ ଷ୍ଟାଡିୟମ୍ରେ ସିଟ୍ ବୁକ୍ ସରିଲାଣି। ସେପଟେ ଆଇସିସି ଘୋଷଣା କରିଥିବା ପୁରସ୍କାର ରାଶିରେ ଚାମ୍ପଅନ୍ ଟିମ୍କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥିସହିତ ରନର୍ସ ଅପ୍ ଟିମ୍କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ। ବିଶ୍ବକପ୍ ଖେଳୁଥିବା ସମସ୍ତ ୧୦ଟି ଟିମ୍ ଗ୍ରୁପ ପର୍ଯ୍ୟାୟରେ ଏକ ରାଉଣ୍ଡ-ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ୧୦୧୯ରେ ମଧ୍ୟ ସମାନ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। ଚଳିତ ବିଶ୍ବକପ୍ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତିଲେ ମଧ୍ୟ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଟିମ୍ ଗୁଡ଼ିକୁ ପ୍ରତ୍ୟେକ ବିଜୟ ପାଇଁ ୪୦ ହଜାର ଆମେରିକୀୟ ଡଲାର ଅର୍ଥାତ ୩୩.୧୭ ଲକ୍ଷ ଟଙ୍କା ମିଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ ଯେଉଁ ଟିମ୍ ନକ୍ଆଉଟ୍ରେ ପହଞ୍ଚିବାରେ ବିଫଳ ହେବେ ସେହି ଟିମକୁ ୮୨.୯୪ ଲକ୍ଷ ଟଙ୍କା ମିଳିବ।
ବିଶ୍ୱକପରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ବିଶ୍ୱକପର ୧୩ତମ ସଂସ୍କରଣରେ ୧୦ଟି ଦଳ ସାମିଲ ହୋଇଛନ୍ତି। ଆୟୋଜକ ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲାଣ୍ଡର ଟିମ୍ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ।