ଓଡ଼ିଶା 365 (ବ୍ୟୁରୋ) : ଏବେ କିଛିଦିନ ହେବ ଧର୍ମକୁ ନେଇଚାଲିଛି ରାଜନୈତିକ ବୟାନବାଜି । ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବୟାନକୁ ନେଇ ଦେଶରେ ବିବାଦ ଥମିବାର ନାଁ ନେଉନି। ଉଦୟନିଧିଙ୍କ ପରେ ଉତ୍ତରପ୍ରଦେଶରେ ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ଆହୁରି ଅନେକ ନେତା ମଧ୍ୟ ବିବାଦୀୟ ବୟାନ ଦେଲେଣି। ଯାହାକୁ ନେଇ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସନାତନ ବିନା ଭାରତର ପରିକଳ୍ପନା ମଧ୍ୟ କରାଯାଇ ନପାରେ। ଏଥିରେ ଯେଉଁମାନେ ସନାତନକୁ ନିନ୍ଦା କରୁଛନ୍ତି ସେମାନେ ରାବଣ ବଂଶଜ ବୋଲି ପ୍ରମୋଦ କୃଷ୍ଣମ କହିଛନ୍ତି । ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏବେ ହରିଦ୍ୱାର ପହଞ୍ଚିଛନ୍ତି। ଏଠାରେ ସାମ୍ବାଦିକମାନେ ସନାତନ ଧର୍ମକୁ ନେଇ ଦିଆଯାଉଥିବା ବିବାଦୀୟ ବୟାନ ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇ ସେ କହିଛନ୍ତି ଯେ ସନାତନ ଧର୍ମ ବିରୋଧରେ ଯେଉଁମାନେ କହୁଛନ୍ତି, ସେମାନେ ଭାରତର ମଧ୍ୟ ବିରୋଧୀ । କାରଣ ସନାତନ ବିନା ଭାରତର ପରିକଳ୍ପନା ମଧ୍ୟ କରାଯାଇ ନପାରେ । ଏଣୁ ଯେଉଁମାନେ ସନାତନ ବିରୋଧରେ କହୁଛନ୍ତି ସେମାନେ ରାବଣ ବଂଶଜ ଓ ସେମାନଙ୍କର ସର୍ବନାଶ ସୁନିଶ୍ଚିତ ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଯେଉଁ ନେତାମାନେ ସନାତନ ବିରୋଧରେ ବୟାନବାଜୀ କରୁଛନ୍ତି ସେପରି ନେତା ଓ ସେମାନଙ୍କ ଦଳଙ୍କୁ ‘ଇଣ୍ଡିଆ’ ଆଲାଏନ୍ସରୁ ବାହାରେ ରଖାଯାଉ ବୋଲି ସେ କହିଛନ୍ତି । କାରଣ ଏହା ନିଷ୍ପତ୍ତି ନେବାର ସମୟ ବୋଲି ପ୍ରମୋଦ କୃଷ୍ଣମ କହିଛନ୍ତି। ତୁମେ ସନାତନ ସପକ୍ଷରେ ନା ବିପକ୍ଷରେ ଛିଡା ହୋଇଛ ତାହା ପ୍ରମାଣିତ କରିବା ଦରକାର ବୋଲି ସେ କହିଛନ୍ତି । କେବଳ ତାମିଲନାଡୁରେ ଡିଏମକେ ନୁହେଁ ଉତ୍ତରପ୍ରଦେଶରେ ମଧ୍ୟ ସମାଜବାଦୀ ପାର୍ଟିକୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ପଡିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ସପାକୁ ନିଷ୍ପତ୍ତି ନେବାକୁ ପଡିବ ଯେ ସେ ସନାତନ ସହିତ, ଶ୍ରୀରାମଙ୍କ ସହିତ, ରାମାୟଣ ସହିତ, ରାମ ଚରିତ ମାନସ ସହିତ ଓ ଭଗବାନ ରାମଙ୍କ ସହିତ ରହିବ କି ଭଗବାନ ରାମ ଓ ରାମଚରିତ ମାନସକୁ ଗାଳି ଦେଉଥିବା ଲୋକଙ୍କ ସହିତ ରହିବ ବୋଲି ପ୍ରମୋଦ କୃଷ୍ଣମ କହିଛନ୍ତି । ସନାତନ ଧର୍ମ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାମିଲନାଡୁ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କୁ ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି। ଶୁକ୍ରବାର ଉଦୟନିଧିଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ନୋଟିସ୍ ପଠାଇଛନ୍ତି କୋର୍ଟ ।
ସେପ୍ଟେମ୍ବର ୨ ତାରିଖରେ ତାମିନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ । ଏହାକୁ ବିରୋଧ ନୁହେଁ, ବରଂ ମୂଳୋତ୍ପାଟନ କରିବା କଥା ବୋଲି ଉଦୟନିଧି କହିଥିଲେ। ସନାତନ ବିଲୋପ ସମ୍ମିଳନୀ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଥିଲେ ଷ୍ଟାଲିନ୍। ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧରେ ରହିଛି । କିଛି ଜିନିଷକୁ ବିରୋଧ କରାଯାଇପାରିବ ନାହିଁ। ସେସବୁ ଧ୍ୱଂଶ କରାଯିବା ଉଚିତ । ଆମେ ଡେଙ୍ଗୁ ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବ ନାହିଁ। ଆମକୁ ଏହାର ମୂଳୋତ୍ପାଟନ କରିବାକୁ ହେବ । ସେହିପରି ଆମକୁ ସନାତନ ଧର୍ମକୁ ବିଲୋପ କରିବାକୁ ପଡ଼ିବ ବୋଲି ଉଦୟନିଧି କହିଥିଲେ ।