ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୁ ଠାରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ ୧୯ତମ ଏସୀୟ କ୍ରୀଡା ମହାକୁମ୍ଭ। ମାତ୍ର ରାତି ପାହିଲେଏସୀୟ କ୍ରୀଡ଼ା ଆରମ୍ଭ ହେବାକୁ ଥିବାବେଳେ ଚୀନ ଖେଳାଳିଙ୍କୁ ନେଇ ଖେଳିଛି ଭିସା ଖେଳ। ଅରୁଣାଚଳ ପ୍ରଦେଶରୁ ଯାଇଥିବା ୩ ଜଣ ଉସୁ ଖେଳାଳୀଙ୍କୁ ଚୀନ ସରକାର ପ୍ରବେଶ ଅନୁମତି ଦେଇନାହାନ୍ତି । ଏହାକୁ ନେଇ ଭାରତ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଦିଲ୍ଲୀସ୍ଥିତ ଥିବା ଚୀନ୍ ଦୂତାବାସକୁ ଭାରତ ତୀବ୍ର ବିରୋଧ କରିଛି। ଏହା ସହ ଭାରତର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଚୀନ ଗସ୍ତ ବାତିଲ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଚୀନ୍ ସର୍ବଦା ଭାରତୀୟ ନାଗରିକଙ୍କ ପ୍ରତି ଏଭଳି ଭେଦଭାବ କରି ଆସୁଛି। ଭାରତ ଏଭଳି ଆଲୋଚନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି।
ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶକୁ ଚୀନ୍ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଛି ଏବଂ ସେଠାକାର ଲୋକଙ୍କୁ ନିଜ ନାଗରିକ ବୋଲି କହୁଛି। ଲଗାତର ଦ୍ୱିତୀୟ ଥର ପାଇଁ ଚୀନ୍ ଏଭଳି କାର୍ଯ୍ୟ କରିବାକୁ ପଛାଇ ନାହିଁ। ଏହା ପୂର୍ବରୁ ଜୁଲାଇ ମାସରେ ଚୀନ୍ ଅରୁଣାଚଳ ଖେଳାଳିଙ୍କୁ ପ୍ରବେଶ କରିବାକୁ ମନା କରିଦେଇଥିଲା, ଯାହାକୁ ନେଇ ଭାରତ ତୀବ୍ର ବିରୋଧ କରିବା ସହ ଏଭଳି କାର୍ଯ୍ୟ ରୁ ନିବୃର୍ତ୍ତି ରହିବାକୁ ଚେତାବନୀ ଦେଇଛି। ଚୀନର ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି ବିଶ୍ୱବାସୀ।