ଓଡ଼ିଶା 365 (ବ୍ୟୁରୋ): ଆରମ୍ଭ ହୋଇଯାଇଛି ବିଧାନସଭର ମୌସୁମୀ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ନିର୍ବାଚିତ ହେବା ପରେ ଆଜି ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଛନ୍ତି ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । ବିଧାନସଭା ପଶୁପଶୁ ଗୃହରେ ବାପାଙ୍କ ସିଟ୍ ଦେଖି ଭାବବିହ୍ୱଳ ହୋଇଛନ୍ତି ଦୀପାଳି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସମସ୍ତ ମହିଳା ବିଧାୟିକାଙ୍କୁ ସେ ଭେଟିଥିବା କହିଛନ୍ତି ।
ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି ଦୀପାଳି ଦାସ । ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ଆଜି ବିଧାନସଭା ଅଧିବେଶନରେ ଯୋଗ ଦେଲେ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି । ମୌସୁମୀ ଅଧିବେସନରେ ସାମିଲ ହୋଇ ସେ କହିଛନ୍ତି ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ । ଆଜି ମୁଁ ବହୁତ ଭାବ ବିହ୍ଵଳ ହେଲି । ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି। ମୋର ବହୁତ ମନେପଡିଥିଲା ବାପାଙ୍କ କଥା । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆର୍ଶୀବାଦ ନେଲି। ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ । ଆଜି ମୁଁ ବିଧାନସଭା ଆସିଛି । ହେଲେ ମୋ ବାପା ମୋ ପାଖରେ ନାହାନ୍ତି।