ଓଡ଼ିଶା 365 (ବ୍ୟୁରୋ) : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ସମନ ଜାରି । ରେଳ ବିଭାଗ ନିଯୁକ୍ତି ଘୋଟାଲାରେ ସମନ ଜାରି ହୋଇଥିବା ସୂଚନା । ଲାଲୁ ଯାଦବ ସମେତ ତତ୍କାଳୀନ ରେଲଓ୍ବେ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଛି । ଲାଲୁ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ରେଳ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ମାମଲାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ବ ଯାଦବଙ୍କ ବିରୋଧରେ ସେପ୍ଟେମ୍ବର ୨୧ ତାରିଖରେ ରାଉଜ୍ ଏଭିନ୍ୟୁ କୋର୍ଟରେ ଶୁଣାଣି ହେବାରଥିଲା, ହେଲେ କୌଣସି କାରଣ ପାଇଁ ଶୁଣାଣି ଘୁଞ୍ଚି ଯାଇଛି । ତେବେ ଏହି ମାମଲାରେ ଶୁକ୍ରବାର ଶୁଣାଣି ହେବ ।
ତଦନ୍ତ ଅଧିକାରୀଙ୍କ ଦ୍ବାରା ଦାୟର ହୋଇଥିବା ଚାର୍ଜସିଟ୍ ସ୍ବିକାର ଯୋଗ୍ୟ କି ନୁହେଁ ତାହା ଜଣାପଡ଼ିବ । ଏହା ପୂର୍ବରୁ ରେଲଓ୍ବେ ଭର୍ତ୍ତି ମାମଲାର ଶୁଣାଣି ଅଗଷ୍ଟ ୮ ତାରିଖରେ ହେବାନେଇ କୋର୍ଟ ସ୍ଥିର କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଧାର୍ଯ୍ୟ ତାରିଖ ଘୁଞ୍ଚିଥିଲା । ପରେ ସେପ୍ଟେମ୍ବର ୧୨ ତାରିଖ ଏବଂ ଏହାପରେ ୨୧ ସେପ୍ଟେମ୍ବର ମଧ୍ୟରେ ଶୁଣାଣି ତାରିଖରେ ଘୁଞ୍ଚାଇଥିଲେ କୋର୍ଟ ।
୨୦୦୪ରୁ ୨୦୦୯ ମଧ୍ୟରେ ୟୁପିଏ ସରକାର ସମୟରେ ରେଳ ମନ୍ତ୍ରୀ ଭାବେ ଲାଲୁପ୍ରସାଦ ଯାଦବ ଦାୟିତ୍ବ ତୁଲାଇଥିଲେ । ଏହି ସମୟରେ ଲାଲୁ ଯାଦବ ରେଳ ବିଭାଗରେ ଦୁର୍ନୀତି କରି ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା । ଏହା ବଦଳରେ ସେ କୋଟି କୋଟି ଟଙ୍କାର ଜମି ହାତେଇଥିଲେ । ସିବିଆଇ ଏହି ମାମଲାରେ ତଦନ୍ତ କରି ଲାଲୁ ଯାଦବ ଏବଂ ତାଙ୍କ ଝିଅ ମିସା ଭାରତୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଚାକିରି ବଦଳରେ ଯେଇଁ ସବୁ ଜମି ହାତେଇ ଥିଲେ ସେହି ସମସ୍ତ ଜମି ଲାଲୁ ଯାଦବଙ୍କ ପତ୍ନୀ ରାବିଡି ଦେବୀ ଏବଂ ମିସା ଭାରତୀଙ୍କ ନାଁରେ ରହିଛି ।