ଓଡ଼ିଶା365(ବ୍ୟୁରୋ): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ଚାଇନା ଗସ୍ତକୁ ବାତିଲ କରିଦେଇଛନ୍ତି । ସେପ୍ଟେମ୍ବର ୨୩ରୁ ଚାଇନାରେ ଏସିଆ ଗେମ୍ସର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ଯେଉଁଥିପାଇଁ ଅନୁରାଗ ଠାକୁର ସେଠାକୁ ଯିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଛି। ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଅରୁଣାଚଳ ପ୍ରଦେଶର ୩ ଜଣ ଖେଳାଳି ଚାଇନା ଯିବାର ଥିଲା। ତେବେ ଚାଇନା ସେମାନଙ୍କୁ ଭିସା ଦେବାକୁ ବାରଣ କରିବା ସହ ପ୍ରବେଶ ଉପରେ କଟକଣା ଲଗାଇଛି। ଏହାକୁ ଦୃଷ୍ଟିରେ ରଖି ଅନୁରାଗ ଠାକୁର ତାଙ୍କ ଗସ୍ତକୁ ବାତିଲ କରିଥିବା କୁହାଯାଉଛି। ତେବେ ଅଲିମ୍ପିକ କାଉନସିଲ ଅଫ ଏସିଆର ଅଧ୍ୟକ୍ଷ ଓଲଟା କଥା କହିଛନ୍ତି। ତାଙ୍କ କହିବା କଥା ହେଉଛି ଭାରତୀୟ ଆଥଲେଟିକ୍ସମାନଙ୍କୁ ଚାଇନାରେ ପ୍ରବେଶ ପାଇଁ ଭିସା ଦିଆଯାଇଛି। ବେଜିଂ କୌଣସି ବି ଭିସାକୁ ମନା କରିନାହିଁ। ଯେଉଁ ୩ ଖେଳାଳିଙ୍କ କଥା କୁହାଯାଉଛି, ସେମାନଙ୍କୁ ମଧ୍ୟ ଭିସା ମିଳିଛି।
ମାତ୍ର ଦୁର୍ଭାଗ୍ୟବଶତଃ ସେମାନେ ଭିସାକୁ ଗ୍ରହଣ କରି ନାହାନ୍ତି। ଏହା ଓସିଏର ସମସ୍ୟା ନୁହେଁ। କାରଣ ଚାଇନା ସବୁ ଯୋଗ୍ୟ ଖେଳାଳିଙ୍କୁ ଭିସା ଦେବ ବୋଲି ଚୁକ୍ତି କରିଛି। ଓସିଏର କାର୍ଯ୍ୟକାରୀ ସଭାପତି ରଣଧୀର ସିଂହ କହିଛନ୍ତି,ୱାର୍କିଂ ଗ୍ରୁପ ସହ ଆମେ ବୈଠକ କରିଛୁ ଓ ଏହି ପ୍ରସଙ୍ଗ ସେଠାରେ ଉଠିଛି। ସେମାନେ ତାଙ୍କ ସରକାରଙ୍କ ସହ ଓ ଆମେ ମଧ୍ୟ ଆମ ସରକାରଙ୍କ ସହ ଏ ବିଷୟରେ କଥା ହୋଇଛୁ। ନେଇ ଚାଇନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଚାଇନା ସବୁବେଳେ ଅରୁଣାଚଳ ପ୍ରଦେଶକୁ ନିଜର କହି ଆସିଛି। ଭାରତ ଏହାକୁ ଅଗ୍ରାହ୍ୟ କରୁଥିବାରୁ ବିବାଦ ଦେଖାଯାଇଛି। ଏବେ ଚାଇନିଜ ସରକାର ଅରୁଣାଚଳର ୩ ଖେଳାଳିଙ୍କୁ ଭିସା ନ ଦେବାକୁ ଆଉ ଏକ ନୂଆ ବିବାଦ ଦେଖାଦେବାର ଆଶଙ୍କା ଦେଖାଦେଇଛି।