ଓଡ଼ିଶା365(ବ୍ୟୁରୋ):‘ଆଣ୍ଟି-କରପ୍ସନ୍ ବ୍ୟୁରୋ’ (ଏସିବି) ଅଦାଲତ ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ‘ଜୁଡିସିଆଲ୍ ରିମାଣ୍ଡ୍’ ଅବଧି ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପ୍ରତିବାଦରେ ରାଜ୍ୟ ବିଧାନସଭା ଅଧିବେଶନରେ ବ୍ୟାଘାତ ସୃଷ୍ଟି କରି ତାଙ୍କ ଦଳ ପ୍ରତିବାଦ କରିବାରୁ ବିଧାନସଭାକୁ ମୁଲତବୀ ରଖାଯାଇଛି। ବହୁକୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ନାଇଡୁଙ୍କୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଥିଲା। ରିମାଣ୍ଡ ଶୁଣାଣି ପାଇଁ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଆଜି ସେ ହାଜର ହୋଇଥିଲେ।
ରିମାଣ୍ଡରେ ଥିବା ବେଳେ ସେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ବୋଲି ଶୁଣାଣି ବେଳେ ବିଚାରପତି ପଚାରି ଥିଲେ। ନାଇଡୁ ବିଚାରପତିଙ୍କୁ କହିଥିଲେ, ସେ କରି ନ ଥିବା କାର୍ଯ୍ୟରେ ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଛି। ଏହା ଶୁଣି, ବିଚାରପତି ନାଇଡୁଙ୍କୁ କହିଲେ, ଏଇଟା ବିଚାର ବିଭାଗୀୟ ରିମାଣ୍ଡ ହୋଇଥିବାରୁ ସେ ନିରାପଦରେ ଅଛନ୍ତି। ଆଇନ ଆଗରେ ସଭିଏଁ ସମାନ। ଏହାକୁ ଦଣ୍ଡ ବୋଲି ବିବେଚନା କରନ୍ତୁ ନାହିଁ। ଏହା ବିଚାର ପ୍ରକ୍ରିୟାର ବ୍ୟବସ୍ଥା। ଆପଣଙ୍କ ଓକିଲମାନେ ଯୁକ୍ତି ଉପସ୍ଥାପନ କରିବେ ଓ ସତ କଥା ଜଣାପଡ଼ିଯିବ। ହାଇକୋର୍ଟରେ ଅନେକ ପିଟିସନ୍ ପଡ଼ି ରହିଥିବାରୁ ଆମେ ଆପଣଙ୍କର ‘ଜୁଡିସିଆଲ୍ ରିମାଣ୍ଡ୍’ ଆଉ ୨ ଦିନ ବୃଦ୍ଧି କରୁଛୁ।