ଓଡ଼ିଶା365(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ସୀମା ପାର୍ ପ୍ରେମ କାହାଣୀ ସଂଖ୍ୟା। ଦୁଇଟି ଭିନ୍ନ ଦେଶର ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ଓ ପ୍ରେମ ପାଇଁ ଦେଶ ଛାଡ଼ି ପଳାଇ ଆସିବା ପରି ଅନେକ ମାମଲା ଏବେ ଦେଖିବାକୁ ମିଳୁଛି। ପାକିସ୍ତାନର ସୀମା ହାଇଦର୍ରୁ ଆରମ୍ଭ କରି ଭାରତର ଅଞ୍ଜୁ ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ। ଏବେ ଚକିତ କରିବା ପରି ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏହି କାହାଣୀରେ ପ୍ରେମୀ ଦ୍ବୟ ନିଜ ବୟସକୁ ନ ଅନାଇ ପରସ୍ପରଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକ ପ୍ରେମରେ ପଡ଼ିଛନ୍ତି ୭୦ ବର୍ଷୀୟା କାନ୍ନାଡାର ମହିଳା।ଏବେ ଏହି ପାକିସ୍ତାନୀ ଯୁବକ ଓ କନ୍ନଡୀୟ ମହିଳା ପରସ୍ପରଙ୍କୁ ବିବାହ କରି ସାରିଛନ୍ତି।
ଡେଲି ପାକିସ୍ତାନର ରିପୋର୍ଟ ଅନୁସାରେ, ଏହି ଯୁବକଙ୍କ ନାମ ଦେଉଛି ନଇମ। ଏହି ପତି-ପତ୍ନୀଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନକୁ ନେଇ ଲୋକେ ବିଭିନ୍ନ କଥା କହୁଛନ୍ତି। କେହି କେହି ବିବାହର କାରଣ ପ୍ରେମ ନୁହେଁ, ଆଉ କିଛି ବୋଲି କହୁଛନ୍ତି। ନଇମ ସେମାନଙ୍କ ସଂପର୍କକୁ ନେଇ ଏକ ସାକ୍ଷାତ୍କାରରେ କହିଛନ୍ତି , ସେ ଓ ତାଙ୍କ ପତ୍ନୀ ୧୦ ବର୍ଷ ତଳୁ ସୋସିଆଲ୍ ମିଡିଆ ଜରିଆରେ ବନ୍ଧୁ ହୋଇଥିଲେ। ନଇମ୍ଙ୍କୁ କେହି କେହି ଗୋଲ୍ଡ ଡିଗର୍ ବା ଟଙ୍କା ପାଇଁ ବିବାହ କରିଥିବା କହୁଥିବା ବେଳେ ସେ କିନ୍ତୁ କହିଛନ୍ତି ଯେ ତାଙ୍କ ପତ୍ନୀ ଧନୀ ନୁହଁନ୍ତି ଯେ ସେ ଟଙ୍କା ପାଇଁ ତାଙ୍କୁ ବିବାହ କରିଛନ୍ତି। ତେବେ ଯିଏ ଯାହା ବି କହୁ ପଛେ ଦୁହେଁ ଖୁବ୍ ଖୁସୀରେ ଅଛନ୍ତି ଓ ଉଭୟ ଉଭୟଙ୍କୁ ଭଲ ପାଉଛନ୍ତି ।