ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାନନ୍ ସିଷ୍ଟର । ଗୋଟିଏ ଦିନରେ ଜଲୱା ଦେଖାଇବେ ଦୁଇଭଉଣୀ । ବକ୍ସ୍ ଅଫିସରେ ହେବ ଜୋରଦାର ଲଢ଼େଇ । ସୂଚନା ଅନୁଯାୟୀ , ଆସନ୍ତା ଅକ୍ଟୋବର ୨୦ ତାରିଖରେ ମୁକ୍ତିଲାଭ କରିବ କ୍ରିତି ସାନନ୍ଙ୍କ ଫିଲ୍ମ ‘ଗଣପତ’ ଏବଂ ତାଙ୍କ ସାନ ଭଉଣୀ ନୂପୁରଙ୍କ ପ୍ରଥମ ଫିଲ୍ମ ‘ଟାଇଗର ନାଗେଶ୍ୱର ରାଓ’ ମଧ୍ୟ ସେଇ ଦିନ ରିଲିଜ୍ ହେବ । ଏନେଇ ଦୁଇ ଭଉଣୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । କ୍ରିତି ନିଜ ଅପ୍କମିଙ୍ଗ ଫିଲ୍ମର ପୋଷ୍ଟର୍ ଶେୟାର କରି କ୍ୟାପ୍ସନ ଲେଖିଛନ୍ତି ‘ସାନନ୍ ସିଷ୍ଟର୍ସ’ ।
ସେପଟେ ନୂପୁର ନିଜ ପ୍ରଥମ ଫିଲ୍ମର ପୋଷ୍ଟର୍ ଶେୟାର କରି କ୍ୟାପ୍ସନ ଲେଖିଛନ୍ତି ‘ଅକ୍ଟୋବର ୨୦ରେ ସାନନ୍ ବନାମ ସାନନ୍ ହେବାକୁ ଯାଉଛି । ଏହାଠୁ ଅଧିକ ଖୁସିର କଥା ମୋ ପାଇଁ ଆଉ କ’ଣ ହୋଇପାରେ ।’ ବିକାଶ ବହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଣପତ’ ଭାଗ-୧ରେ ଲିଡ୍ ରୋଲ୍ରେ ନଜର ଆସିବେ ଟାଇଗର ଶ୍ରଫ୍ । ଏଥିରେ ତାଙ୍କ ଲେଡି ଲଭ୍ ହେବେ କ୍ରିତି ସାନନ୍ । ଏହାସହ ଅମିତାଭ ବଚ୍ଚନ ଓ ଏଲି ଆଭ୍ରମଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହା ଏକ ଡ୍ରାମା ଫିଲ୍ମ ବୋଲି ପୂର୍ବରୁ ଫିଲ୍ମମେକର୍ ସୂଚନା ଦେଇଥିଲେ ।
ଅନ୍ୟପଟେ ‘ଟାଇଗର ନାଗେଶ୍ୱର ରାଓ’ ମଧ୍ୟ ଏକ ବଡ଼ ବଜେଟ୍ର ସାଉଥ୍ ଫିଲ୍ମ । ଏଥିରେ ନୂପୁରଙ୍କ ସହ ସାଉଥ୍ ସୁପରଷ୍ଟାର୍ ରବି ତେଜାଙ୍କୁ ଭୟଙ୍କର ଅନ୍ଦାଜ୍ରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ୪ଟି ଭାଷାରେ ମୁକ୍ତିଲାଭ କରିବ । ଏକ ବାସ୍ତବ କାହାଣୀଟିକୁ ନେଇ ଫିଲ୍ମଟି ପର୍ୟ୍ୟବସିତ । ତେବେ ଦୁଇ ଭଉଣୀଙ୍କ ଫିଲ୍ମ ଗୋଟିଏ ଦିନରେ ମୁକ୍ତିଲାଭ କରିବାକୁ ଯାଉଥିବା ନେଇ ଦୁଇ ଭଉଣୀ ଯେତିକି ଖୁସି ଅଛନ୍ତି ତା ଠାରୁ ବେଶୀ ଦର୍ଶକମାନେ ଖୁସିଥିବା ଶୁଣିବାକୁ ମିଳୁଛି ।