ଓଡ଼ିଶା 365 (ବ୍ୟୁରୋ): ୫ ଗୁଣ ବଢ଼ିଲା ଅଫିସରଙ୍କ ଚା’-ଜଳଖିଆ ଖର୍ଚ୍ଚ । ଶୀର୍ଷପଦସ୍ଥ ଅଫିସରମାନଙ୍କ ଚା’ ଓ ଜଳଖିଆ ଖର୍ଚ୍ଚକୁ ୫ଗୁଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଶେଷଥର ପାଇଁ ୨୦୨୧ ଡିସେମ୍ବର ୧୪ତାରିଖରେ ଏହି ଖର୍ଚ୍ଚସୀମାକୁ ବଢ଼ାଇଥିବା ରାଜ୍ୟ ସରକାର ଏବେ ଦରଦାମ ବୃଦ୍ଧି ଯୋଗୁ ଚା’-ଜଳଖିଆ ଦର ବଢ଼ିଥିବା ଦର୍ଶାଇ ପୁଣିଥରେ ଉକ୍ତ ଦରକୁ ସଂଶୋଧନ କରିଛନ୍ତି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଭିନ୍ନ ବର୍ଗର ଅଫିସରମାନେ କରୁଥିବା ବୈଠକ, ସରକାରୀ ଆଲୋଚନା ଓ ସେମାନଙ୍କୁ ଭେଟିବାବେଳେ ଯେଉଁ ଚା’ଜଳପାନ(ରିଫ୍ରେସମେଂଟ)ରେ ଆପ୍ୟାୟିତ କରାଯାଏ, ସେ ବାବଦ ଖର୍ଚ୍ଚସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ଗୋଟେପଟେ ରାଜ୍ୟରେ ଗଣତନ୍ତ୍ରର ସରକାର ନୁହେଁ ବରଂ ବାବୁତନ୍ତ୍ରର ସରକାର ଚାଲିଛି ବୋଲି ବିରୋଧୀ ଦଳଗୁଡ଼ିକର ବାରମ୍ବାର ଅଭିଯୋଗ ଆଣୁଥିବା ବେଳେ ଏପଟେ ସରକାର ବାବୁମାନଙ୍କ ଚା’ ଓ ଜଳଖିଆ ବାବଦକୁ ମାସିକ ଖର୍ଚ୍ଚକୁ ୫ଗୁଣ ବଢ଼ାଇଛନ୍ତି । ମୁଖ୍ୟ ସଚିବ ଓ ସମତୁଲ ପାହ୍ୟାର ଅଫିସରମାନେ ଏଣିକି ମାସିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଚା’-ଜଳପାନରେ ଖର୍ଚ୍ଚ କରିପାରିବେ । ପୂର୍ବରୁ ସେ ମାସିକ ଏବାବଦରେ ୧ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ପ୍ରାବଧାନ ରହିଥିଲା । ସେହିପରି ଅତିରିକ୍ତ ମୁଖ୍ୟ ସଚିବ ଓ ସମତୁଲ ପାହ୍ୟାର ଅଫିସରମାନେ ମାସିକ ୪ହଜାର ଟଙ୍କା, ପ୍ରମୁଖ ସଚିବ, କମିଶନର ତଥା ସଚିବ ଓ ସମତୁଲ ପାହ୍ୟାର ଅଫିସର ମାସିକ ୩ହଜାର ଟଙ୍କା, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ,ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ସମତୁଲ ପାହ୍ୟାର ଅଫିସରମାନେ ଏଣିକି ମାସିକ ୧ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।