ଓଡ଼ିଶା 365 (ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ବିଧାନସଭାରେ ଆସୀନ ସଦସ୍ୟ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଆଣିଥିବା ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ । ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ପରେ ଗୃହରେ ନିରବ ପ୍ରାର୍ଥନା ହୋଇଥିଲା । ଏହାପରେ ସନ୍ଧ୍ୟା ୫ଟା ଯାଏଁ ଗୃହ ମୁଲତବି ରହିଛି ।
ଅପରାହ୍ନ ୫ଟାରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅତିରିକ୍ତ ବଜେଟ୍ ର ଆକାର ପ୍ରାୟ ୨୨ହଜାର କୋଟି ବୋଲି ଜଣାପଡ଼ିଛି । ଏହା ବ୍ୟତିତ ଆପାର୍ଟମେଣ୍ଟ ଅଧ୍ୟାଦେଶ, ଡ୍ରିମ୍ ସ ୟୁନଭରସିଟି ବିଲ୍, ପାଣି ପଞ୍ଚାୟତ ବିଲ୍, ଓବିସି କମିଶନ ଅଧ୍ୟାଦେଶ ଗୃହରେ ଆଗତ ହେବ ।