ଓଡ଼ିଶା365(ବ୍ୟୁରୋ): ଚନ୍ଦ୍ରଯାନ-୩ ପାଇଁ ଆଜି ହେଉଛି ସବୁଠାରୁ ବଡ଼ଦିନ।ସୂର୍ଯ୍ୟାଲୋକରେ ଜାଗିବେ କି ପ୍ରଜ୍ଞାନ ଓ ବିକ୍ରମ, ନା ଶୋଇଯିବେ ଚିରନିଦ୍ରାରେ ? ଜହ୍ନରେ ରାତି କଟାଇବା ପରେ ଲ୍ୟାଣ୍ଡର ଓ ରୋଭରକୁ ପୁନଃ ସକ୍ରିୟ କରିବା ପାଇଁ ଚେଷ୍ଟା କରିବ ଇସ୍ରୋ। ପୃଥିବୀର ସମୟ ଅନୁସାରେ, ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ଚନ୍ଦ୍ରଯାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ପ୍ରଜ୍ଞାନକୁ ଗତ ୨ ତାରିଖରେ ଏବଂ ଲ୍ୟାଣ୍ଡର ବିକ୍ରମକୁ ଗତ ୪ ତାରିଖରେ ସ୍ଲିପ୍ ମୋଡ୍ରେ ରଖିଥିଲା ଇସ୍ରୋ । କେବଳ ରିସିଭରକୁ ଅନ୍ ରଖି ବାକିସବୁ ଯନ୍ତ୍ରାଂଶକୁ ବନ୍ଦ କରି ଦିଆଯାଇଥିଲା। ଏହାରି ମଧ୍ୟରେ ୨ ସପ୍ତାହରୁ ଅଧିକ ସମୟ ବିତିଯାଇଛି। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଲ୍ୟାଣ୍ଡର ଓ ରୋଭର୍ କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ତେଣୁ ପ୍ରଜ୍ଞାନ ଓ ବିକ୍ରମ ପୁଣି ଥରେ ଜାଗ୍ରତ ହେବା ସହ ଅଧିକ ତଥ୍ୟ ସଂଗ୍ରହ କରିବେ ବୋଲି ଆଶା ରହିଛି ।