ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ କରି ମୌସୁମୀ ଅଧିବେଶନ ଆରମ୍ଭ ହେଉଣୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଛନ୍ତି ‘ମୋ ଦଳ’ ସଦସ୍ୟ। ୫ଟି ସଚିବଙ୍କୁ ବିରୋଧ କରି ବିଧାନସଭା ସମ୍ମୁଖରେ ନାରାବାଜି କରିଛି ମୋ ଦଳ । ସଚିବ ବିଧାନସଭା ଚଳାନ୍ତୁ ନେତା ଓ ମନ୍ତ୍ରୀ ଘରକୁ ଯାଆନ୍ତୁ ବୋଲି ନାରାବାଜି ଦେବା ସହିତ ପାଣ୍ଡିଆନ୍ ଗୋ ବ୍ୟାକ ନାରା ଦେଇଛନ୍ତି । ସଚିବ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏପରି ସ୍ଥିତିରେ ନେତାଙ୍କର ଆବଶ୍ୟକ ନାହିଁ ବୋଲି କହିଛନ୍ତି ମୋ ଦଳର କର୍ମୀ । ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି ଅକ୍ଷୟ କୁମାର ।
ମୋ ଦଳର ନେତା ଅକ୍ଷୟ କୁମାର କହିଛନ୍ତି, ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ସଭା କରୁଛନ୍ତି। ଏହାସହ ବିଭିନ୍ନ ପ୍ୟାକେଜ ଘୋଷଣା କରୁଛନ୍ତି। ନେତା ଓ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧିବା ସହ ଲୋକ ଜୁଗାଡ଼ କରୁଛନ୍ତି। ତାହାହେଲେ କାହିଁକି ବିଧାନସଭା ଭିତରକୁ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀମାନେ ଆସିବେ। ସେମାନେ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ। ଓଡ଼ିଶାକୁ ପାଣ୍ଡିଆନ ବରବାଦ କରିସାରିଲେଣି। ମୋ ଦଳର ଜଣେ କର୍ମୀ କହିଛନ୍ତି, ପାଣ୍ଡିଆନ ଓଡ଼ିଶାକୁ ଖାଇସାରିଲାଣି। ଓଡ଼ିଶାରେ ତାମିଲ ଶାସନ ଚଳାଇଛି। ନେତା ଓ ମନ୍ତ୍ରୀ ମାନେ ସବୁ ଦେଖି ଚୁପ ରହୁଛନ୍ତି। ସେଥିପାଇଁ ନେତା ଓ ମନ୍ତ୍ରୀ ଘରେ ରୁହନ୍ତୁ। ପାଣ୍ଡିଆନ ବିଧାନସଭା ଆସନ୍ତୁ। ଯଦି ଜଣେ ସଚିବ ସବୁ କାମ କରିପାରୁଛନ୍ତି ତାହାଲେ ନିର୍ବାଚିତ ପ୍ରତିନିଧି କାହିଁକି ବିଧାନସଭା ଆସିବେ ବୋଲି ପ୍ରଶ୍ନ କରିଛି ମୋ ଦଳ । ତେବେ ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ମୋ ଦଳର କର୍ମୀଙ୍କର ଧସ୍ତାଧସ୍ତି ହୋଇଛି ।