ଡ଼ିଶା 365 (ବ୍ୟୁରୋ) : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍ । କ୍ରିକେଟ ଫ୍ୟାନଙ୍କ ମନରେ ବଢୁଛି ଉତ୍ସାହ। ମାତ୍ର ଏହାପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ । ଏହା ପରେ ବିଶ୍ୱକପ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ। ମାତ୍ର ମୋହାଲିରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ରୋହିତ ଓ ବିରାଟଙ୍କ ବିନା ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତ। ଅନେକ ଦିନ ପରେ ଦିନିକିଆକୁ ସ୍ପିନର କିଙ୍ଗ୍ ଆର.ଅଶ୍ୱିନ ଫେରିଥିବାରୁ କଙ୍ଗାରୁ ଦଳ ବିପକ୍ଷରେ ବୋଲିଂ ଯାଦୁ ଦେଖିବାକୁ ମିଳିବ। ମୋହାଲିରେ ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଟିମ୍ର ରେକର୍ଡ ଭଲ ନଥିବାବେଳେ ଆଜି ଯାଏଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ମୋହାଲିରେ ଦିନିକିଆ ଫର୍ମାଟରେ ପରାଜିତ କରିନାହିଁ।
ଭାରତୀୟ ଟିମ୍ ପାଇଁ ବିଜୟରାସ୍ତା ଏତେ ସହଜ ନଥିଲାବେଳେ ମୋହାଲୀରେ ପିଚ୍ରେ ନିଜ ପୁରୁଣା ରେକର୍ଡକୁ ସୁଧାରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଏବେ ଯାଏଁ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଦିନିକିଆ ଫର୍ମାଟରେ ୧୪୬ ଥର ମୁହାଁମୁହିଁ ହୋଇଥିବାବେଳେ ଅଷ୍ଟ୍ରେଲିଆ ଟିମ୍ ଭାରତକୁ ୮୨ ମ୍ୟାଚରେ ହରାଇଛି । ସେହିପରି ଭାରତ ୫୪ଥର ସଫଳତା ହାସଲ କରିଛି । ଭାରତ ମାଟିରେ ଭାରତ ଏବଂ ଅଷ୍ଟ୍ରେଲିଆ ୬୭ଥର ସାମ୍ନାସାମ୍ନି ହୋଇଛନ୍ତି । ଅଷ୍ଟ୍ରେଲିଆ ଭାରତକୁ ୩୨ଥର ହରାଇଛି । ଭାରତୀୟ ଦଳ ନିଜ ମାଟିରେ ଅଷ୍ଟ୍ରେଲିଆକୁ ୩୦ ଥର ହରାଇବାରେ ସଫଳ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତ ରାହୁଲଙ୍କ ଅଧିନାୟକତ୍ୱରେ ୨ଟି ମ୍ୟାଚ ଖେଳି କଙ୍ଗାରୁକୁ ମାତ ଦେବା ଲକ୍ଷ୍ୟରେ ରହିଛି।