ଓଡ଼ିଶା 365 (ବ୍ୟୁରୋ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ୬ ଗେଟ୍। ଜଳ ଭଣ୍ଡାରର ବାମ ପାର୍ଶ୍ୱର ୪ଟି ଗେଟ୍ ଓ ଡାହଣ ପାର୍ଶ୍ୱର ୨ ଟି ଗେଟ୍ ଖୋଲଯାଇଛି । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୨୩.୭ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ । ସେହିପରି ୧ ସେପ୍ଟେମ୍ୱରରୁ ୨୦ ସେପ୍ଟେମ୍ୱର ସୁଦ୍ଧା ରାଜ୍ୟରେ ୨୫୮ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୭୬.୭ ମିମି ତୁଳନାରେ ୪୬ ପ୍ରତିଶତ ଅଧିକ । ତେବେ ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨ଜିଲ୍ଲା ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୩ ତାରିଖରୁ କମିବ ବର୍ଷାର ପରିମାଣ। କେବଳ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୧୦୬୯.୯ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବର୍ଷା ତୁଳନାରେ ୧୦୯୯.୯ମିମି ତୁଳନାରେ ଏହା ୩ପ୍ରତିଶତ କମ୍ । ୨ଟି ଜିଲ୍ଲା ବୌଦ୍ଧ ଓ ଝାରସୁଗୁଡାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ଜିଲ୍ଲାରେ ନିଅଣ୍ଟିଆ ଓ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।