ଓଡ଼ିଶା365(ବ୍ୟୁରୋ): ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ଆଶଙ୍କା ଥିବାରୁ ନିବେଶକମାନେ ଆଜି ବହୁ ପରିମାଣର ସେୟାର ବିକ୍ରି କରିଛନ୍ତି। ପ୍ରଭାବରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୭୯୬ ପଏଣ୍ଟ୍ ହ୍ରାସ ପାଇ ୬୬ ହଜାର ୮୦୦ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୨୩୨ ପଏଣ୍ଟ୍ ହ୍ରାସ ପାଇ ୧୯ ହଜାର ୯୦୧ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଏଚ୍ଡିଏଫ୍ସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଇନ୍ଫୋସିସ୍ ଭଳି ବଡ଼ ବଡ଼ କଂପାନିର ସେୟାର ମୂଲ୍ୟ ଖସିଛି। ମୋଟ ଉପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ନିବେଶକମାନେ ଆଜି ୨.୩୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ଫଳରେ ମୋଟ ବଜାର ପୁଞ୍ଜି ୩୨୦.୬୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ବଜାର ବିଶେଷଜ୍ଞଙ୍କ ମତରେ ବିଭିନ୍ନ କାରଣ ପାଇଁ ଆଜି ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଛି। ଗୋଟିଏ ପଟେ ନିବେଶକମାନେ ବଡ଼ ବଡ଼ କଂପାନିର ସେୟାର ବିକ୍ରି କରିଥିବା ବେଳେ ଅନ୍ୟପଟେ ଅଶୋଧିତ ତୈଳ ଦର ୧୦ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ମଧ୍ୟ ସେମାନଙ୍କ ଚିନ୍ତା ବଢ଼ାଇଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ମଧ୍ୟ ଦୁର୍ବଳ ହେଉଛି। ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ଚଳିତ ମାସରେ ୪୦୦୦ କୋଟି ଟଙ୍କା ପ୍ରତ୍ୟାହାର କଲେଣି। ଏହି ସବୁ ବିଷୟରୁ ଏହା ଜଣାପଡ଼ୁଛି ଯେ ଆଗକୁ ଅର୍ଥନୀତି ସମସ୍ୟା ସାମ୍ନା କରିବାକୁ ଯାଉଛି। ସେଥିପାଇଁ ବିପଦ ଥିବା କ୍ଷେତ୍ରର ସେୟାରଗୁଡ଼ିକୁ ନିବେଶକମାନେ ବିକ୍ରି କରିବା ଆରମ୍ଭ କରିଛନ୍ତି।