ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାଉଥ୍ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ । ଯାହାଙ୍କ ଡିମାଣ୍ଡ ସବୁଠୁ ଆଗରେ । ତାଙ୍କ ଜୀବନକାଳ ମଧ୍ୟରେ ସେ ଅନେକ ହିଟ୍ ଫିଲ୍ମ କରି ଦର୍ଶକଙ୍କୁ ନିଜ ଜାଦୁରେ ବାନ୍ଧି ରଖିଛନ୍ତି । ଷ୍ଟାଇଲିସ୍ ଲୁକ୍ ପାଇଁ ଅନେକ ଝିଅଙ୍କ ହୃଦୟରେ ରାଜ କରୁଛନ୍ତି ଏହି ସାଉଥ୍ ସୁପରଷ୍ଟାର । ହେଲେ ବର୍ତ୍ତମାନ ପୁଷ୍ପା ହୋଇ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି ଅଲ୍ଲୁ । ନିକଟରେ ଫିଲ୍ମ ‘ପୁଷ୍ପା: ଦ ରାଇଜ୍’ ପାଇଁ ଜାତୀୟ ଚଳଚ୍ଚିତ୍ର ସମ୍ମାନ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଦ୍ୱାରା ସମ୍ମାନିତ କରାଯାଇଛି ।
ବର୍ତ୍ତମାନ ଅଲ୍ଲୁଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି ।ଯାହା ଅଲ୍ଲୁ ଏବଂ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସିର ମୂହୁର୍ତ ପାଲଟିଛି ।ଲଣ୍ଡନର ମାଡାମ୍ ତୁସାଦ ମ୍ୟୁଜିୟମ୍ରେ ଖୁବ୍ଶୀଘ୍ର ଅଲ୍ଲୁଙ୍କ ମହମ ପ୍ରତିମା ସ୍ଥାନ ପାଇବ । ଅଲ୍ଲୁ ସାଉଥ୍ର ୪ର୍ଥ ସୁପରଷ୍ଟାର ହେବେ। ଯାହାଙ୍କ ମହମ ପ୍ରତିମା ତୁସାଦରେ ସ୍ଥାନ ପାଇବ । ସେପଟେ ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।
ସୂଚନା ଅନୁଯାୟୀ , ୨୦୨୪ ମସିହାରେ ଅଲ୍ଲୁଙ୍କ ପ୍ରତିମାର ଅନାବରଣ ହେବ । ମାଡାମ୍ ତୁସାଦ ମହମ ସଂଗ୍ରହାଳୟରେ ପୂର୍ବରୁ ପ୍ରଭାସ, ମହେଶ ବାବୁ, କାଜଲ ଅଗ୍ରୱାଲ, ଅମିତାଭ ବଚ୍ଚନ, ଐଶ୍ୱର୍ୟ୍ୟା ରାୟ, ଶାହରୁଖ ଖାନ୍, ହ୍ରିତ୍ୱିକ ରୋଶନ୍, ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ୍, ଦୀପିକା ପାଦୁକୋନ, କରୀନା କପୁରଙ୍କ ସମେତ ଅନେକ କଳାକାରଙ୍କ ପ୍ରତିମା ଏଠାରେ ରହିଛି । ଏବେ ଅଲ୍ଲୁ ସେମାନଙ୍କ ସହିତ ଯୋଗ ଦେବେ । ସେପଟେ ଖୁବ୍ଶୀଘ୍ର ଫିଲ୍ମ ‘ପୁଷ୍ପା-୨’ର ସୁଟିଂରୁ ବ୍ରେକ୍ ନେଇ ଆଗାମି ଦୁଇ ଦିନ ମଧ୍ୟରେ ଅଲ୍ଲୁ ଲଣ୍ଡନ ଯିବେ । ସେଠାରେ ମହମ ପ୍ରତିମା ନିର୍ମାଣ ଲାଗି ତାଙ୍କର ମାପ ନିଆଯିବ ବୋଲି ଚର୍ଚ୍ଚା ହେଉଛି ।