ଓଡ଼ିଶା 365 (ବ୍ୟୁରୋ): କୁମ୍ଭୀର ଦାଉରୁ ଜନଜୀବନ ରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରଣ ଏଣିକି ନଦୀ ଘାଟରେ ଫେନସିଂ କରିବେ ରାଜ୍ୟ ସରକାର। ନଦୀରେ ବୁଡ଼ି ହେଉ କିମ୍ବା କୁମ୍ଭୀର ଟାଣିନେବା ଘଟଣା ଗତ କିଛିଦିନ ହେବ ବାରମ୍ବାର ସାମ୍ନାକୁ ଆସୁଥିଲା। ତେବେ ଏହି ସମସ୍ତ ଘଟଣା ଉପରେ ପୂର୍ଣ୍ଣଛେଦ ପଡ଼ିବ । ଅଘଟଣରୁ ମୃତ୍ୟୁକୁ ରୋକିବା ପାଇଁ ସମ୍ବେଦନଶୀଳ ନଦୀ ଘାଟରେ କରାଯିବ ଫେନସିଂ ବ୍ୟବସ୍ଥା କରାଯିବ। ଏଦିଗରେ ରାଜସ୍ୱ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ଦୁଇଟି ବୈଠକ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ଅଧିକ ବ୍ୟବହୃତ ନଦୀ ସମେତ କୁମ୍ଭୀର ଥିବା ୧୦୦ଟି ଘାଟ ଚିହ୍ନଟ କରାଯିବ। ଏଥିପ୍ରତି ଖର୍ଚ୍ଚ ହେବ ୨ କୋଟି ଟଙ୍କା। ଆସନ୍ତା ବିଧାନସଭା ଅଧିବେଶନରେ ଜଳ ସମ୍ପଦ ବିଭାଗ ଏହି ଅର୍ଥକୁ ଅତିରିକ୍ତ ବଜେଟରେ ବ୍ୟୟବରାଦ କରିବାକୁ ଯାଉଛି।
କୁମ୍ଭୀର ଆକ୍ରମଣ ତଥା ନଦୀରେ ବୁଡ଼ିଯିବା ଘଟଣାରୁ ଲୋକଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇବା ପାଇଁ ନଦୀ ଘାଟରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ଜଳ ସମ୍ପଦ ବିଭାଗ ସହ ଆଲୋଚନା ପରେ ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରମିଳା ମଲ୍ଲିକ। ଏଥିପାଇଁ ୨୦୨୩-୨୪ ପାଇଁ ସପ୍ଲିମେଣ୍ଟାରୀ ବଜେଟରେ ପାଣ୍ଠି ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ-ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି। ସେ ମଧ୍ୟ ନଦୀ ଚିହ୍ନଟ କରିବେ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ର ସମନ୍ୱୟ ରକ୍ଷା କରି ନଦୀ ଘାଟରେ ନିର୍ମାଣ ହେବାକୁ ଥିବା ସଂରଚନାର ଏକ ତାଲିକା ଦାଖଲ କରିବେ। ଯାହା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ। ଯେଉଁଥିରେ ସଂରଚନା ଏବଂ ଯୋଜନା ପ୍ରସ୍ତୁତ ହେବ ବା ଫେନ୍ସିଂ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, କେନ୍ଦ୍ରାପଡାଠାରେ କୁମ୍ଭୀର ଥିବା ନଦୀ ଘାଟରେ ଫେନସିଂ ଜାଲ ନିର୍ମାଣ କରାଯାଉଛି। ଏହି ନଦୀରେ ଚଳିତ ବର୍ଷ ଜୁନ୍ ମାସରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିଭଳି ଗତ ସାତ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୦,୦୦୦ ଲୋକେ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି।