ଓଡ଼ିଶା 365 (ବ୍ୟୁରୋ): ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଜୟ ପଣ୍ଡାଙ୍କୁ ମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ଏହି ଧମକ ମିଳିଛି। କେହି ଜଣେ ଦୂର୍ବୁର୍ତ୍ତ ଟେଲି ଫୋନ୍ କରି ଶ୍ରୀ ପଣ୍ଡାଙ୍କର ସହାୟକଙ୍କୁ ଧମକ ଦେଇଛି । ଏହି ଧମକପୂର୍ଣ୍ଣ କଲ୍ ଘଟଣାରେ ଦିଲ୍ଲୀ ପୁଲିସରେ ଏତଲା ରୁଜୁ ହୋଇଛି। ଏହାପରେ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ । ଏ ବାବଦରେ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଶ୍ରୀ ଅରୋରା କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍ କରି ଏହି ଧମକ ଦେଇଛି । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି । ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ ଧମକ ଦେଉଥିବା ବେଳେ ସେ କେଉଁଠିକାର ବାସିନ୍ଦା ତାହା ସ୍ପଷ୍ଟ ହୋଇ ପାରିନି। ତେବେ ଏହା ବ୍ୟକ୍ତିଗତ ଆକ୍ରୋଶ ନା ଏହା ପଛରେ ଆଉ କିଏ ଅଛି ତାହା ବି ଜଣାପଡ଼ିନି । ଜୟ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ସହ ଆସାମ ଓ ଦିଲ୍ଲୀର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱରେ ମଧ୍ୟ ଅଛନ୍ତି ।