ଓଡ଼ିଶା 365 (ବ୍ୟୁରୋ): ଶେଷରେ ଶିକ୍ଷକଙ୍କ ରଣହୁଙ୍କାର ସାମ୍ନାରେ ନରମିଲେ ରାଜ୍ୟ ସରକାର। ଶିକ୍ଷକଙ୍କ ସବୁ ଦାବି ଶୁଣିବାକୁ ରାଜି ହୋଇଛନ୍ତି ରାଜ୍ୟସରକାର । ଦାବିପୂରଣ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ ସଂଘ ୨୬ ତାରିଖ ବିଧାନସଭା ସମ୍ମୁଖରେ ମହା ସମାବେଶ କରିବାକୁ ଚେତାବନୀ ଦେଇଥିଲେ । ହେଲେ ତା ପୂର୍ବରୁ ଶିକ୍ଷକଙ୍କ ସବୁ ଦାବି ଶୁଣିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଶିକ୍ଷକ ସଂଘର ବିଭିନ୍ନ ଦାବି ରହିଛି । ଆମେ ସବୁ ଶୁଣିବୁ । ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସ୍ତରୀୟ କମିଟି ସେମାନଙ୍କ ସହ ଆଲୋଚନା କରାଯାଇଛି। ତେଣୁ ଶିକ୍ଷକମାନେ ଆଉ ଆନ୍ଦୋଳନକୁ ନ ଯିବା ପାଇଁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେଣୁ ୨୬ ତାରିଖ ହେବାକୁ ଥିବା ମହା ସମାବେଶରୁ ଓହରି ଯିବା ପାଇଁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ମନ୍ତ୍ରୀ କହିଛନ୍ତି, ‘ ଦୟାକରି ମୋ ସହ ଆଲୋଚନା କରନ୍ତୁ । ମୁଁ ସେମାନଙ୍କ ସମସ୍ୟା ଶୁଣିବି । ସେମାନଙ୍କ ଦାୟିତ୍ୱ ରହିଛି । ସ୍କୁଲ ଫେରି ଯାଆନ୍ତୁ’ ବୋଲି କହିଛନ୍ତି ମନ୍ତ୍ରୀ । ତିନି ଦଫା ଦାବି ନେଇ ଓଡ଼ିଶା ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଘୋଷଣା କରିଥିଲେ । ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ଏକ ଲକ୍ଷରୁ ଅଧିକ ଶିକ୍ଷକ ମହାସମାବେଶ କରିବେ ବୋଲି ଚେତାବନୀ ଦେଇଥିଲେ। ‘ନଅଟି ସଂଘ ଏକାଠି ଅଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମର କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ଜାରି ରହିବ। ସେପ୍ଟେମ୍ବର ୨୬ରେ ଭୁବନେଶ୍ୱରରେ ମହାସମାବେଶ କରିବୁ। ଦାବି ପୂରଣ ନହେବା ଯାଏଁ ଆମର ଆନ୍ଦୋଳନ ଜାରି ରହିବ’ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହରାଣା କହିଥିଲେ।