ଓଡ଼ିଶା 365 (ବ୍ୟୁରୋ) : ପୁଣି ଗଡ଼ିଲା ଖଲିସ୍ତାନୀ ଆତଙ୍କବାଦୀର ମୁଣ୍ଡ । ବୁଧବାର ଏନଆଇଏ ମୋଷ୍ଟ ଓ୍ବାଣ୍ଡେଡ ଲିଷ୍ଟରେ ନାମ ପ୍ରକାଶ ପାଇଥିଲା । ଆଉ ଆଜି କାନାଡାରେ ଅପରାଧିଙ୍କ ଗୁଳିରେ ନିହତ ହୋଇଛି ସୁଖୁଦୁଲ୍ ସିଂହ । ସୁଖୁ ନାମରେ ଅନେକ ହତ୍ୟା ଅଭିଯୋଗ ଥିବା ବେଳେ ଖଲିସ୍ତାନୀ ସମର୍ଥକ ଥିବା ସୁଖୁ ୨୦୧୭ରେ କାନାଡା ଚାଲିଯାଇଥିଲା । ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ସୁଖ୍ଦୂଲ୍ ସିଂହଙ୍କୁ କାନାଡାରେ ହତ୍ୟା କରାଯାଇଛି । ବୁଧବାର ରାତିରେ କାନାଡାର ୱିନ୍ନିପେଗ୍ ସହରରେ ହତ୍ୟା କରାଯାଇଥିବା ନେଇ ଖବର ପ୍ରକାଶ ପାଇଛି । ସୁଖୁ ଗ୍ୟାଙ୍ଗଷ୍ଟାର ହୋଇଥିବାରୁ ଅନ୍ୟ ଗ୍ୟାଙ୍ଗର ଅପରାଧି ତାକୁ ହତ୍ୟା କରିଥିବା ଆଶଙ୍କା ପ୍ରକାଶ ପାଇଛି । ପଂଜାବ ମୋଗା ଜିଲ୍ଲା ନିବାସୀ ସୁଖା ଜଣେ ମୋଷ୍ଟ ଓ୍ବାଣ୍ଡେଡ୍ ଆତଙ୍କବାଦୀ ଥିଲା ।
ଗିରଫ ଭୟରେ ସୁଖୁ ଜାଲ କାଗଜପତ୍ର କରି ଭାରତୀୟ ପାସ୍ପୋର୍ଟ ବଳରେ ନେପାଳ ବାଟ ଦେଇ ଭାରତରୁ ପଳାୟନ କରିଥିଲା । ସେବେଠାରୁ ଭାରତ ଗୁଇନ୍ଦା ସଂସ୍ଥା ସୁଖୁକୁ ଖୋଜୁଥିଲା ବେଳେ ସେ କାନାଡାରେ ଖଲିସ୍ତାନୀ ଗୋଷ୍ଠୀଙ୍କ ଛତ୍ରଛାୟାରେ ରହୁଥିଲା । ଅନେକ ଅପରାଧରେ ଜଡିତ ଥିଲା ସୁଖୁ । ବିଶେଷ କରି ଖଲିସ୍ତାନ କାର୍ଯ୍ୟକଳାପରେ ସେ ଜଡିତ ରହିବା ସହ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିଲା । ଏନଆଇଏର ଆତଙ୍କବାଦୀ ଲିଷ୍ଟ ପ୍ରକାଶ ପାଇବା ପରେ ଏବେ ପଂଜାବ ପୋଲିସ ଅନେତ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସେମାନଙ୍କ ଘର ଏବଂ ଅଫିସ ଉପରେ ନଜର ରଖିଛି ଗୁଇନ୍ଦା ସଂସ୍ଥା ।
ଜୁନ୍ ୧୯ ତାରିଖରେ ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ନିହତ ହେବା ପରେ କାନାଡା ଏବଂ ଭାରତ ମଧ୍ୟରେ ସଂପର୍କ ଖରାପ ହୋଇଛି । ଏବେ ପୁଣି ସୁଖ୍ଦୂଲ୍ ସିଂହ ନିହତ ହେବାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଜାରି ରହିଛି। ସୁଖୁ ଉପରକୁ ପ୍ରତିପକ୍ଷ ଗ୍ୟାଙ୍ଗ୍ ୧୫ଟି ଗୁଳି ମାରିଥିବା ଜଣାପଡିଛି । କିଛି ଦିନ ଧରି ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଏ ବର୍ଗର ଗ୍ୟାଙ୍ଗଷ୍ଟାର ସୁଖ୍ଦୂଲ୍ ସିଂହ ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଏନଆଇଏ । ଏନଆଇଏ ୪୦ ଜଣ ଆତଙ୍କବାଦୀଙ୍କ ଯେଉଁ ତାଲିକା ପ୍ରକାଶ କରିଥିଲା ସେଥିରେ ସୁଖୁର ନାମ ରହିଥିଲା । ସୁଖୁ ନାମରେ ୭ଟି ଅପରାଧିକ ମାମଲା ଭାରତରେ ରହିଛି । ଏଭଳି ସ୍ଥିତିରେ କାନାଡାରେ ରହୁଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ରହିବା ପାଇଁ ଭାରତ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।