ଓଡ଼ିଶା 365 (ବ୍ୟୁରୋ): ବିଜେଡିରୁ ବହିଷ୍କୃତ ହେଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁଧାଂଶୁ ପରିଡ଼ା। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଏହି ଦୁଇ ବିଧାୟକଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳ ଏହି ଦୁଇ ବିଧାୟକଙ୍କ ବିରୋଧରେ ଏହି ପଦକ୍ଷେପ ନେଇଥିବା କହିଛି ଦଳ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଛି। ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା।
ସୌମ୍ୟ ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଆସୁଛନ୍ତି। ଏହା ସହିତ ନବୀନ ବାରମ୍ବାର ମତ ବଦଳାଉଥିବା ସେ ଗଣମାଧ୍ୟମରେ କହିଥିଲେ। ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ କିଛି ଦିନ ମାହୋଲ ତିଆରି ହୋଇଥିଲା। ପରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ସୌମ୍ୟଙ୍କୁ ଟାର୍ଗେଟ କରିଥିଲେ। ଏହା ସହ ତାଙ୍କ ବିରୋଧରେ ବିଭିନ୍ନ ବିବରଣୀ ଦେଇଥିଲେ। ତା’ପରେ ସୌମ୍ୟଙ୍କୁ ଦଳ ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଆଜି ପୁଣି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ସେହିପରି ସୁଧାଂଶୁ ପରିଡ଼ାଙ୍କ ନାଁରେ କୃଷି ସାମଗ୍ରୀ ହରିଲୁଟର ଅଭିଯୋଗ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ପ୍ରମାଣିତ ମଧ୍ୟ ହୋଇଥିଲା। ତେଣୁ ତାଙ୍କୁ ମଧ୍ୟ ଏଥି ପାଇଁ ଦଳରୁ ବହିଷ୍କାର କରାଯାଇଛି।