ଓଡ଼ିଶା 365 (ବ୍ୟୁରୋ): ୪୩ ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ବେବୋ କରୀନା କପୁର । ସେପ୍ଟେମ୍ବର ୨୧ ତାରିଖ ଅର୍ଥାତ ଆଜି କରୀନାଙ୍କ ଜନ୍ମଦିନ । ଆଜି ମଧ୍ୟ ରାତ୍ରରେ ବେବୋ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ନିଜ ଜନ୍ମଦିନ ଉତ୍ସବକୁ ବଡ଼ ଧୁମଧାମରେ ପାଳନ କରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ପାର୍ଟିରେ ଭଉଣୀ କରିସ୍ମା କପୁରଙ୍କୁ ବି ଦେଖିବାକୁ ମିଳିଛି । ଦୁଇ ଭଉଣୀ ସାଙ୍ଗ ହୋଇ ଚକ ଫଟୋ ଉଠାଇଛନ୍ତି । ଏହାସହ କରୀନା ତାଙ୍କ ଜନ୍ମଦିନରେ ଯେଉଁ କେକ୍ କାଟିଛନ୍ତି ଏବଂ ଯେଉଁ ସ୍ଥାନରେ ସେ ପାର୍ଟି କରିଛନ୍ତି ସେ ସବୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କରୀନା କାଟିଥିବା କେକ୍ର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। କେକ୍ ଉପରେ ‘ଜାନେ ଜାନ୍’ ବୋଲି ଲେଖାହୋଇଛି।
କାରଣ କରୀନା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜାନେ ଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ କରୀନାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ‘ଜନେ ଜାନ’ ରିଲିଜ ହେବା ପୂର୍ବରୁ କରୀନା କପୁର ଅଭିନୟରୁ ଅବସର ନେବା ପ୍ରଶ୍ନ ଉପରେ ନିଜର ଉତ୍ତର ରଖିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମୁଁ ଏବେ ବି ଅଭିନୟ କରିବାକୁ ନେଇ ଉତ୍ସାହିତ ଅଛି। ଯେବେ ମୁଁ ଏହି ଉତ୍ସାହ ହରାଇବି, ତେବେ ଯାଇ ମୁଁ ଅବସର ନେବି। କାରଣ ୪୩ବର୍ଷ ବୟସରେ ମଧ୍ୟ ସେଟରେ ରହିବାର ଉତ୍ସାହ ଏବଂ କ୍ୟାମେରା ସାମ୍ନା କରିବାକୁ ଇଚ୍ଛା ଅଛି। ମୁଁ ଜାଣେ ଯେଉଁ ଦିନ ଏହି ଉତ୍ସାହ ରହିବ ନାହିଁ, ସେହି ଦିନ ମୁଁ ଅଭିନୟ କରିପାରିବି ନାହିଁ। ଭାବୁଛି ୮୩ କି ୯୩ବର୍ଷ ବୟସରେ ମୋର ଆଉ ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ। ସେବେ ମୁଁ ଅବସର ନେବି ।”