ଓଡ଼ିଶା 365 (ବ୍ୟୁରୋ): ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା । ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦ । କିଏ ହେବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ? ନା ଅତିରିକ୍ତ ଭାବରେ କାହାକୁ ଦାୟିତ୍ବ ଦିଆଯିବ ? ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ? କାରଣ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ଖାଲି ପଡ଼ିଛି । ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ପ୍ରଦର୍ଶନ ଆଧାରରେ ନବୀନଙ୍କ କ୍ୟାବିନେଟରୁ ବାଦ ଦିଆଯାଇଥିଲା । ତାଙ୍କ ପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ଅତନୁ ସବ୍ୟସାଚୀ ନାୟକ । ଅତନୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି ।
ଅକ୍ଟୋବର ଓ ନଭେମ୍ବରରେ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ ଆସିଥାଏ । ତେଣୁ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର କେହି ନୂଆ ମନ୍ତ୍ରୀ ହେବେ ନା କାହାକୁ ଅତିରିକ୍ତ ଦାୟିତ୍ବ ମିଳିବ ? ମନ୍ତ୍ରିମଣ୍ଡଳ ସମ୍ପ୍ରାସରଣ ହେଲେ ଅତନୁଙ୍କ ପାଖରୁ ଉଚ୍ଚଶିକ୍ଷା ବିଭାଗ କାଢ଼ି ଅନ୍ୟ କାହାକୁ ଦିଆଯାଇପାରେ । ସନେଇ କଳ୍ପଲା ଜଳ୍ପନା ଜାରି ରହିଛି।