ଓଡ଼ିଶା 365 (ବ୍ୟୁରୋ): ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ପାଇଁ ବିଜେଡି ଜାରି କରିଛି ହ୍ୱିପ୍ । ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ଦେବାକୁ ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବିଜେଡି ହ୍ୱିପ୍ ଜାରି କରିଛି। ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେବ ଆଲୋଚନା ହେବାକୁ ଥିବା ବେଳେ ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ନୂତନ ସଂସଦ ଗୃହରେ ଲୋକସଭାରେ ‘ମହିଳା ସଂରକ୍ଷଣ ବିଲ୍’ ପାରିତ ହୋଇଛି । ଏହା ପାରିତ ହେଲେ ଲୋକସଭା ତଥା ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷିତ ରହିବ । ଏହି ଆଇନ ଲୋକସଭା ଓ ରାଜ୍ୟସଭାର ଉଭୟ ଗୃହ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ହିଁ ଲାଗୁ ହେବ ।
ତେବେ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ 454 ଭୋଟ୍ ପଡ଼ିଥିବା ବେଳେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ଏହା ବିରୋଧରେ କେବଳ ୨ ଟି ଭୋଟ୍ ପଡ଼ିଛି । ମହିଳା ସଂରକ୍ଷଣ ବିଲ୍ ଉପରେ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତି ରଖିଛନ୍ତି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ ସେ କହିଛନ୍ତି, କିଛି ଦଳ ପାଇଁ ମହିଳା ସଶକ୍ତିକରଣ ନିର୍ବାଚନରେ ଜିତିବା ପାଇଁ ଏକ ରାଜନୈତିକ ଏଜେଣ୍ଡା ଏବଂ ରାଜନୈତିକ ହତିଆର ହୋଇପାରେ, କିନ୍ତୁ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି ।