ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ବଲିଉଡ ଷ୍ଟାର ମାନଙ୍କ ନାଁ, ଫଟୋ, ଡାଇଲଗ୍ ଇତ୍ୟାଦିକୁ ନେଇ ଅନେକ କମ୍ପାନୀ ସୋସିଆଲ ମିଡିଆରେ ଟଙ୍କା ରୋଜଗାର କରିବାର ନୂଆ ତରିକା ଆପଣେଇଛନ୍ତି । ଯାହା ବଲିଉଡ ଷ୍ଟାର ମାନଙ୍କୁ ଅସୁବିଧାରେ ପକାଏ । ଠି୍କ ଏପରି ଅସୁବିଧାକୁ ସାମ୍ନା କରିଛନ୍ତି ଅନିଲ କପୁର । ଏହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଏହି ଆବେଦନରେ ଅଭିନେତା ଦାବି କରିଛନ୍ତି ଯେ, ଲୋକମାନେ ତାଙ୍କର ଲୋକପ୍ରିୟ ଡାଏଲଗ, ‘ଜାକାସ୍’, ନାମ, ଫଟୋ, ସ୍ୱର ଏହି ସବୁ ଜିନିଷକୁ ଟଙ୍କା ପାଇଁ ବ୍ୟବହାର କରୁଛନ୍ତି। ତେଣୁ, ତାଙ୍କ ସ୍ୱର ଏବଂ ଲୋକପ୍ରିୟ ଚରିତ୍ର ବ୍ୟବହାର ଉପରେ ଏକ ନିଷେଧାଦେଶ ରହିବା ଉଚିତ୍ । କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଛି । ଯେଉଁଥି ପାଇଁ ସମାଜରେ ସମ୍ମାନ ହାନି ହେବା ସହ ବ୍ୟକ୍ତିତ୍ୱ ଉପରେ କୁପ୍ରଭାବ ପଡୁଛି ।
ବ୍ୟକ୍ତିତ୍ୱ ଅଧିକାର ସହ ଜଡିତ ଆବେଦନ ଉପରେ ଅଭିନେତା ଅନିଲ କପୁରଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏହାର ରାୟ ଦେବାବେଳେ କୋର୍ଟ ତାଙ୍କର ଲୋକପ୍ରିୟ ଡାଏଲଗ ‘ଜାକାସ୍’, ନାମ, ଫଟୋ, ସ୍ୱର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ଅନିଲ କପୁର ନିଜେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଦିଲ୍ଲୀ ହାଇକୋର୍ଟ ଅନିଲଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେଇ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଭିନ୍ନ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ଅନିଲ କପୁରଙ୍କ ବିନା ଅନୁମତିରେ କୌଣସି ସଂସ୍ଥା ତାଙ୍କ ନାଁ ଏବଂ ଡାଇଲଗକୁ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।