ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ବରିଷ୍ଠ ବିଜେଡି ନେତ୍ରୀ ତଥା ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଓଡ଼ିଶା ବିଧାନସଭାର ଖାଲିପଡ଼ିଥିବା ବାଚସ୍ପତି ପଦ ପାଇଁ ଶାସକ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ହୋଇଛନ୍ତି ପ୍ରମିଳା । ପ୍ରମିଳାଙ୍କୁ ପ୍ରାର୍ଥୀ ଭାବେ ବୁଧବାର ବିଜେଡି ଘୋଷଣା କରିଛି। ୨୨ରେ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୧ ତାରିଖ ନାମାଙ୍କନ ଦାଖଲ କରାଯିବ। ଆସନ୍ତାକାଲି ପ୍ରମିଳା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରମିଳା ବର୍ତ୍ତମାନ ବିଞ୍ଝାରପୁରର ବିଧାୟିକା ଅଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀରୁ ଛଅ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଜନତା ଦଳରୁ ଥରେ ଏବଂ ବିଜେଡିରୁ ପାଞ୍ଚ ଥର ନିର୍ବାଚନ ଜିତିଛନ୍ତି। ୧୯୯୦ରେ ପ୍ରଥମ ଥର ଜନତା ଦଳରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୨୦୦୦ ମସିହାରୁ ବିଜେଡି ଦଳରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସୁଛନ୍ତି। ସେ ରାଜ୍ୟ କ୍ୟାବିନେଟ୍ରେ ବିଭିନ୍ନ ଦାୟିତ୍ଵ ସମ୍ଭାଳି ଆସିଛନ୍ତି। ବର୍ତ୍ତମାନ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମିଳାଙ୍କୁ ବାଚସ୍ପତି ପରି ସାମ୍ବିଧାନିକ ପଦ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ଶାସକ ଦଳର ସଂଖ୍ୟାବଳ ଢେର ଅଧିକ ଥିବାରୁ ତାଙ୍କର ବିଜୟ ସୁନିଶ୍ଚିତ ଲାଗୁଛି।ଏଣୁ ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି।
ସୂଚନାଯୋଗ୍ୟ, ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ନୂଆଁଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା। ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇବା ଦାବିରେ କଂଗ୍ରେସ ଓ ବିଜେପି ନିର୍ବାଚନକୁ ବର୍ଜନ ଘୋଷଣା କରିଥିଲେ। ଉଲ୍ଲେଖନୀୟ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଏହି ସମୟରେ ଅକ୍ଟୋବର ୩ ତାରିଖରେ ଆଗତ ହେବ ଅତିରିକ୍ତ ବଜେଟ୍।