ଓଡ଼ିଶା 365 (ବ୍ୟୁରୋ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୨ ଜଣ ହାର୍ଡକୋର ମହିଳା ନକ୍ସଲ ନିହତ ହୋଇଛନ୍ତି । ୨ ଜଣଙ୍କ ମୃତଦେହ ସହ ଘଟଣାସ୍ଥଳରୁ ଦୁଇଟି ରାଇଫଲ ଓ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରାଯାଇଛି । ଆଜି ସକାଳ ୭ଟାରେ ନାହାଡି ଓ ଛୋଟହିଡମା ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଛି । ଏନେଇ ଦନ୍ତେୱାଡାର ଅତିରିକ୍ତ ଏସପି ଆରକେ ବର୍ମନ ସୂଚନା ଦେଇଛନ୍ତି ।
ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ, ଦନ୍ତେୱାଡା ଓ ସୁକମା ସୀମାନ୍ତରେ ଥିବା ନାହାଡି, ଛୋଟହିଡମା, ଡୁଙ୍ଗିନପାରା ଜଙ୍ଗଲରେ ବଡ ନକ୍ସଲ ନେତାଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ସକାଳେ ଡିଆରଜି(ଜିଲ୍ଲା ରିଜର୍ଭ ଗାର୍ଡ) ଓ ବସ୍ତର ଫାଇଟର୍ସର ମିଳିତ ଟିମ୍ ଜଙ୍ଗଲରେ ପହଞ୍ଚି ସ୍ପେଶାଲ ଅପରେସନ ଆରମ୍ଭ କରିଥିଲେ । ଏତିକି ବେଳେ ନକ୍ସଲ ସୁରକ୍ଷାବଳ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ପାଲଟା ଜବାବ ଦେଇଥିଲେ ।