ଓଡ଼ିଶା 365 (ବ୍ୟୁରୋ): ରୋଷେଇ ଠାରୁ ଆରମ୍ଭ କରି ଜ୍ଜର, ଥଣ୍ଡା ,କାଶ ଓ ସ୍ୱାସ ପର୍ଯ୍ୟନ୍ତ ସବୁପାଇଁ ରାମବାଣ ସାଜିଥାଏ ରସୁଣ । ଏହା ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଭଲପାଇଥାନ୍ତି । ପାଖାଳ ସାଙ୍ଗକୁ ରସୁଣ କୋଲେ ହୋଇଗଲେ ଖାଇବା ଟା ଖୁବ୍ ଜମିଯାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ,ରସୁଣ କେବଳ ଖାଦ୍ୟର ସ୍ୱାଦ ବଢ଼ାଇନଥାଏ ବରଂ ମୁହଁର ସୈାନ୍ଦର୍ୟ୍ୟ ବଢ଼ାଇବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ । ମୁହଁରୁ ବ୍ରଣ, ଦାଗ ଦୂର କରିବାରେ ମୁଖ୍ୟ ଭୂମିକା ସାଜିଥାଏ ରସୁଣ ।
ଯଦି ଆପଣଙ୍କ ମୁହଁରେ ବ୍ରଣ ହୋଇଛି ତେବେ ରସୁଣକୁ ଘଷି ଏହାର ରସକୁ ବ୍ରଣରେ ଲଗାନ୍ତୁ। ୫ମିନିଟ୍ ପରେ ମୁହଁକୁ ଧୋଇଦିଅନ୍ତୁ। ଏହା ପରେ ଆପଣଙ୍କ ବ୍ରଣ କିଛିଦିନ ଭିତରେ ଭଲହୋଇଯିବ । ସେହିପରି ଯଦି ଆପଣଙ୍କ ମୁହଁରେ ନାଲି ଦାଗ ରହିଛି ତେବେ ରସୁଣର କିଛି କୋଲାରେ ଟମାଟୋ ମିଶାଇ ତାର ପେଷ୍ଟ ବନାଇ ନିଅନ୍ତୁ। ଏହି ପେଷ୍ଟକୁ ସେହି ନାଲି ଦାଗ ସ୍ଥାନରେ ଲଗାଇ ଦିଅନ୍ତୁ। ୧୦ମିନିଟ ପରେ ମୁହଁକୁ ଧୋଇଦିଅନ୍ତୁ। ଏହା ପରେ ମୁହଁରୁ ଦାଗ ଦୂର ହୋଇଯିବ । ଏହାସହ ଶରୀରରେ ଷ୍ଟ୍ରେଚ୍ ମାର୍କ ଥିଲେ ରସୁଣର ଜୁସକୁ ଅଲିଭ ତେଲ ସହ ମିଶାଇ ଗରମ କରିନିଅନ୍ତୁ। ଟିକେ ଥଣ୍ଡା ହେବା ପରେ ଏହାକୁ ଷ୍ଟ୍ରେଚ୍ ମାର୍କରେ ମସାଜ୍ କରନ୍ତୁ। କିଛି ଦିନ ଏପରି କଲେ ଦେଖିବେ ଆପଣଙ୍କ ଷ୍ଟ୍ରେଚ୍ ମାର୍କ ଦୂର ହୋଇଯିବ।
ଆପଣ ଦେଖିଥିବେ ଜଣ ଜଣଙ୍କ ଆଣ୍ଠୁ ଏବଂ କହୁଣୀ ପାଖରେ କୁଣ୍ଡିଆ ହୋଇ ଘା’ ହୋଇଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ରସୁଣକୁ ମାଲିସ୍ କରନ୍ତୁ। ତୁରନ୍ତ ଉପଶମ ମିଳିବ । ଏହାସହ ଏହା ଚର୍ମକୁଞ୍ଚନକୁ ମଧ୍ୟ ଦୂର କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମହୁ ଏବଂ ଲେମ୍ବୁ ସହ ରସୁଣ ଖାଇପାରିବେ। ଏହା ଖାଇବା ଦ୍ବାରା ଚର୍ମକୁଞ୍ଚନ ଦୂର ହେବାସହ ଆପଣଙ୍କ ତ୍ୱଚା କାଚ ପରି ଚମକି ଉଠିବ ।