ଓଡ଼ିଶା 365 (ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ। ରାଜ୍ୟର ଚାଷୀଙ୍କୁ ଆଜି ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର। ଆଜି ରାଜ୍ୟର ଚାଷୀଙ୍କ ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା । ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିବ ଏହି ସହାୟତା । ଏଥିରେ ଉପକୃତ ହେବେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ । ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି । ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ।
ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ 4ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା।