ଓଡ଼ିଶା 365 (ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଅଭିଯୋଗ । ଏନେଇ ପୋଲସରା ଥାନାରେ ଏତଲା ଦେଲେ ବିଧାୟକ ଶ୍ରୀକାନ୍ତ ସାହୁ । କୌଣସି ସୂତ୍ରରୁ ଫେସବୁକ୍ ଚାଟିଂରେ ତାଙ୍କୁ ଓ ତାଙ୍କ ଝିଅକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଉଲ୍ଲେଖ ଥିବା ଜାଣିବାକୁ ପାଇଲେ । ବିକାଶ ବେହେରା ଓ ସଂଯୁକ୍ତା ମହଲଙ୍କ ନାଁରେ ଏନେଇ ଥାନାରେ ଏତଲା ଦେଲେ ବିଧାୟକ । ୧୩ ତାରିଖରେ ଥାନାରେ ଅଭିଯୋଗ ଦେଇଥିଲେ । ୧୫ ତାରିଖରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ନିବେଦନ କରିଛନ୍ତି ।
ସେପଟେ ନିଜର ଓ ଝିଅର ଜୀବନ ପ୍ରତି ବିପଦ ଥିବା ନେଇ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିବା ପରେ ମୁହଁ ଖୋଲିଛନ୍ତି ସଂଯୁକ୍ତା ମହଲ। ସେ କହିଛନ୍ତି ଯେ ଚକ୍ରାନ୍ତ କରି ମୋତେ ଫସାଯାଇଛି । ବିକାଶ ବେହେରା କିଏ ମୁଁ ଜାଣିନାହିଁ, ଅନେକ ଦିନ ତଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟିଙ୍ଗ କରିଥିଲି। ମୁଁ କେବଳ ମୋର ଫୋନ ନମ୍ବର ଦେଇଥିଲି, ଯାହାକି ମୋର ଭୁଲ ଥିଲା। ବିକାଶ ନାମରେ ମିଛ ଆକାଉଣ୍ଟ ଖୋଲି ଶ୍ରୀକାନ୍ତ ହିଁ ମୋତେ ଫସାଇବାକୁ ଚେଷ୍ଟା କରିଛନ୍ତି। ସେହିପରି ପୁଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଯୁକ୍ତା। ସେ କହିଛନ୍ତି ମୁଁ ବି ଏତଲା ଦେଇଥିଲି, ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।| ଏହା ଏକ ଅଦ୍ଭୁତ ସରକାର ଓ ଅଦ୍ଭୁତ ଆଇନ ବ୍ୟବସ୍ଥା।