ଓଡ଼ିଶା 365 (ବ୍ୟୁରୋ): ଗତକାଲି ଅର୍ଥାତ୍ ୧୯ ସେପ୍ଟେମ୍ବର ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ । କାରଣ ଗତକାଲି ଦେଶର ନୂଆ ସଂସଦ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୁଇଟି ବଲିଉଡ ଡିଭା ମଧ୍ୟ ନୂଆ ସଂସଦ ଉଦଘାଟନର ଐତିହାସିକ ମୂହୁର୍ତ୍ତର ସାମିଲ ହୋଇଥିଲେ । ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ଗତ ସୋମବାର ଦିନ ହୋଇଥିବା ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାପରେ ଅଭିନେତ୍ରୀ ଇଶା ଗୁପ୍ତା ନୂଆ ସଂସଦ ଭବନରେ ଏଣ୍ଟ୍ରି କରିଥିଲେ । ସେଠାରେ ସେ ରାଜନୀତିରେ ପ୍ରବେଶ କରିବା ସହ ଆଗାମୀ ନିର୍ବାଚନ ଲଢିବାକୁ ନେଇ ଘୋଷଣା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଇଶା ବଲିଉଡରେ ଅନେକ ସିନେମାରେ ଅଭିନୟ କରି ନୂଆ ସଂସଦ ଭବନରେ ଏଣ୍ଟ୍ରି କରିଛନ୍ତି । ସଂସଦରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିବା ପରେ ସେ ନିଜର ମନ କଥା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଶକ୍ତିକରଣକୁ ନେଇ ବହୁତ ଭଲ କାମ କରିଛନ୍ତି । ଏହା ଦେଶର ମହିଳାମାନଙ୍କ ପାଇଁ ଏକ ବଡ ପଦକ୍ଷେପ । ଏହି ବିଲ୍ ମହିଳାମାନଙ୍କ ଭିତରେ ନୂଆ ଉତ୍ସାହ ଭରିଦେବ ଓ ସେମାନଙ୍କୁ ସମାନ ଅଧିକାର ଦେବାରେ ସହାୟକ ହେବ ।
ଅନ୍ୟପଟେ ତାଙ୍କୁ ଆଗାମୀ ନିର୍ବାଚନ ଲଢିବେ କି ବୋଲି ପ୍ରଶ୍ନ ପଚରାଯାଇଥିଲା , ଏହାର ଉତ୍ତରରେ ସେ କହିଛନ୍ତି ଯେ, ନିଶ୍ଚିତ ଭାବେ ମୁଁ ଆଗାମୀ ନିର୍ବାଚନ ଲଢିବି । ହେଲେ କେବେ ଓ କେଉଁ ଆସନରୁ ଅଭିନେତ୍ରୀ ନିର୍ବାଚନ ଲଢିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।