ଓଡ଼ିଶା 365 (ବ୍ୟୁରୋ) : ଉତ୍ସବ ମୁଖର ପଶ୍ଚିମ ଓଡିଶା। ଘରେ ଘରେ ପିଠାପଣା ନାଚଗୀତର ଆସର। ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଶୁଭ ମୂହୁର୍ତ୍ତରେ ଇଷ୍ଟଦେବୀ ମା’ ସମଲେଇଙ୍କଠାରେ ନବାନ୍ନ ଲାଗି ହୋଇଛି। ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିଛି । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ପଶ୍ଚିମ ଓଡିଶାବାସୀ ସଭିଏଁ ନବାନ୍ନ ଖାଇଛନ୍ତି। ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ପରେ ପରିବାରର ସଭିଏଁ ଏକାଠି ବସି ନୂଆଁ ଅନ୍ନ ଖାଇବାର ପରମ୍ପରା ରହିଛି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ।ପରେ ଜୁହାରଭେଟ୍ ତାପରେ ନୂଆଁଖାଇ ଭେଟଘାଟରେ ଦୁଲୁକିବ ଗାଁଠୁ ସହର। ପାଟଣାଗଡ଼ରେ ମାଆ ପାଟଣେଶ୍ୱରୀ,ବଲାଙ୍ଗୀର,ବରଗଡ଼,ସୁନ୍ଦରଗଡ଼ରେମାଆ ସମଲେଶ୍ୱରୀ, ସୋନପୁରରେ ମାଆ ସୁରେଶ୍ୱରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯିବାର ପରମ୍ପରା ରହିଛି। ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ ଲାଗି ବାହାରେ ଥିବା ପରିବାର ସଦସ୍ୟ ଘରକୁ ଫେରିଛନ୍ତି,ନୂଆ ଲୁଗା,ନୂଆ ଅନ୍ନ,ପିଠାପଣାର ଆସର ସାଥିରେ ସବୁଠି ଜମୁଛି ନାଚଗୀତର ଆହାର ।
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଏହି ଶୁଭ ଅବସରରେ ଦେଶ ତଥା ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ମା ସମଲେଇଙ୍କ ନିକଟରେ ପ୍ରାର୍ଥନା କରି ସଭିଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୂଆ ହେବ ମଜବୁତ ଏଭଳି କହି ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଭିଏଁ ମିଳିମିଶି ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବାକୁ ସେ ବାର୍ତ୍ତା ଦେଇଛନ୍ତି।