ଓଡ଼ିଶା 365 (ବ୍ୟୁରୋ): ଦୈନିକ ଖବର କାଗଜ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ୟାଙ୍କ ଋଣ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି। ଡ. ମହାନ୍ତି କହିଛନ୍ତି ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କ’ଣ ସେ ଆଇନର ଉର୍ଦ୍ଧ୍ୱରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି ? ପ୍ରାୟ ୩୦୦ ସାମ୍ବାଦିକ ତଥା କର୍ମଚାରୀଙ୍କ ନାମରେ ସୌମ୍ୟରଞ୍ଜନ ଋଣ ନେଇଥିବା କହିଛନ୍ତି ସେ। ଡ. ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ସମେତ ଜାତୀୟସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ପକ୍ଷରୁ ଚଢ଼ଉ ହୋଇଥିଲା। ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ। ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି ସେତେବେଳେ ତ କାହିଁ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରିନଥିଲେ। ଚାରି ପାଞ୍ଚ ଦିନ ତଳେ ନନ୍ଦିଘୋଷ ଟିଭିର କାର୍ଯ୍ୟାଳୟରେ ମଧ୍ୟ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢଉ କରାଯାଇଥିଲା। ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଉଢକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରି ନଥିଲେ କି ନିଜ ଚ୍ୟାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରିନଥିଲେ। ବରଂ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଶେଷରେ ସେଣ୍ଟ୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥିଲେ। ତେଣୁ ନନ୍ଦିଘୋଷ ହେଉ କିମ୍ବା ସମ୍ବାଦ, କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି। ସମ୍ବାଦ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି। ଠକାମିର ଶିକାର ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ୩୦୦ ବୋଲି କୁହାଯାଉଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଅଛନ୍ତି। ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି ? ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି ? ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହେବା ପରେ ଯେଉଁମାନେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ବାହାରିଛନ୍ତି, କିଛି ଜାଲିଆତି ହୋଇ ନାହିଁ ବୋଲି ସେମାନେ ଜାଣିଲେ କେମିତି? ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍।