ଓଡ଼ିଶା 365 (ବ୍ୟୁରୋ) : ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ହଜାଇ ଦେଇଥିଲେ ନିଦ। ବିଶ୍ୱ କ୍ରିକେଟ୍ରେ କରିଥିଲେ ନୂଆ କୀର୍ତ୍ତୀମାନ । ଗୋଟିଏ ଓଭରରେ ମାରିଥିଲେ ୬ ଛକା।। ସାଉଥ ଆଫ୍ରିକାରେ ଖେଳାଯାଉଥିଲା ଟି-୨୦ ବିଶ୍ୱକପ୍ର ପ୍ରଥମ ସଂସ୍କରଣ । ଲିଗ୍ ପର୍ଯ୍ୟାୟରେ ଏକ ମ୍ୟାଚରେ ଇଂଲଣ୍ଡ ସହିତ ଭାରତୀୟ ଟିମ୍ର ଥିଲା ମୁକିବାଲ । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍ କରିଥିଲା । ଯେଉଁଥିରେ ବିରେନ୍ଦ୍ର ସେହଓ୍ୱାଗଙ୍କ ୬୮ ରନ୍, ଗୌତମ ଗମ୍ଭୀରଙ୍କ ୫୮ ରନ୍, ଯୁବରାଜ ସିଂହଙ୍କ ୫୮ ରନର ପାରି ଖେଳିଥିଲେ । କିନ୍ତୁ ମ୍ୟାଚ୍ରେ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା ରୋମାଞ୍ଚ ।
୧୮ ତମ ଓଭର ଶେଷ ପରେ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍ ଓ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ବାକ୍ ଯୁଦ୍ଧ ହୋଇଥିଲା । ଯାହାର ପ୍ରଭାବ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା । ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ଓଭରରେ ୬ଟି ବଲ୍ରେ ୬ଟି ଛକା ମାରି କରିଥିଲେ ବିଶ୍ୱରେକର୍ଡ । ତାପରେ ବି ଥମିନଥିଲା ଯୁବରାଜ ସିଂହଙ୍କ ବ୍ୟାଟ୍ । ମାତ୍ର ୧୨ଟି ବଲ୍ରେ ହାସଲ କଲେ ଅର୍ଦ୍ଧଶତକ । ଶେଷରେ ୧୬ଟି ବଲ୍ରେ ଖେଳିଥିଲେ ୫୮ ରନ୍ର ବିସ୍ଫୋରକ ପାରି । ଆଉ ଏଥିରେ ସାମିଲ ଥିଲା ୭ଟି ଛକ୍କା ଏବଂ ୩ଟି ଚୌକା । ଏପିରିକି ଟି-୨୦ କ୍ରିକେଟ୍ରେ ୬ଟି ବଲ୍ରେ ୬ଟି ଛକ୍କା ମାରିବାରେ ଏହା ଥିଲା ପ୍ରଥମ ଘଟଣା । ୩୬୨ର ଷ୍ଟ୍ରାଇକ୍ ରେଟ୍ରେ ଯୁବରାଜ ଏହି ରନ୍ ହାସଲ କରିଥିଲେ । ଇତିମଧ୍ୟରେ ଏହି ଘଟଣାକୁ ୧୬ ବର୍ଷ ବିତିଗଲାଣି । ଏବେବି ଯୁବରାଜ ସିଂହଙ୍କ ରେକର୍ଡ କାଏମ ରହିଛି।