ଓଡ଼ିଶା 365 (ବ୍ୟୁରୋ): ଉତ୍ତର ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୦ ତାରିଖ ଅର୍ଥାତ୍ ଆସନ୍ତା କାଲି ନେବ ଲଘୁଚାପର ରୂପ । ଏହାର ପ୍ରଭାବରେ ରାଜ୍ୟରେ ୨୦ ଓ ୨୧ରେ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଏହୀ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ୨୦ତାରିଖରେ ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ନୟାଗଡ଼, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୧ରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୬ଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି । ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପ ପ୍ରଭାବରୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ।