ଓଡ଼ିଶା 365 (ବ୍ୟୁରୋ): ଆଜି ପବିତ୍ର ଗଣେଷ ଚତୁର୍ଥୀ । ଗାଁ ଠୁ ସହର ସବୁଠି ମହା ଆଡ଼ମ୍ବରରେ ଚାଲିଛି ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍ ଧୂମଧାମ ସହକାରେ ଗଣେଷ ପୂଜା ପାଳନ କରାଯାଉଛି । ହୋମଯଜ୍ଞରେ ପ୍ରକମ୍ପତି ହେଉଛି ପୁରା ପରିବେଶ । ଏଥିମଧ୍ୟରେ ପୁରୀରେ ବାଲୁକା କଳାରେ ଗଣେଷଙ୍କ ମୁର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ପ୍ରଥମଥର ପାଇଁ ବାଲୁକା ରାଶିରେ ବାଲି ଏବଂ ୧୦୦୦ଟି ଷ୍ଟିଲର ଛୋଟବଡ ବାସନ ଜରିଆରେ ନିଆରା ଢଙ୍ଗରେ ଶ୍ରୀଗଣେଶଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ପ୍ରାୟ ୧୦୦ କିଲୋ ଛୋଟବଡ ଷ୍ଟିଲ ବାସନ ସହ ୬ ଟନ୍ ବାଲି ଯୋଗେ ୫ ଫୁଟ ଉଚ୍ଚର ପ୍ରଭୂ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନ ତାଙ୍କର ବାଲୁକା କଳାରେ WORLD PEACEର ବାର୍ତ୍ତା ଦେବାସହ ପ୍ରଭୂ ଗଣେଶ ସମଗ୍ର ବିଶ୍ୱରେ ଶାନ୍ତି ଏବଂ ସୁଖ ବଜାୟ ରଖନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।