ଓଡ଼ିଶା 365 (ବ୍ୟୁରୋ): ଦୁଲୁକୁଛି ପୂଜା ମଣ୍ଡପ ଗାଁ ଠୁ ସହର ହୋଇଉଠିଛି ଉତ୍ସବ ମୁଖର । ପୂଜାମଣ୍ଡପରେ ଝଲସୁଛନ୍ତି ଗଜରାଜ ।ସବୁଠି ଉତ୍ସାହ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଧରାପୃଷ୍ଟକୁ ଅବତରଣ କରିଛନ୍ତି ବିଘ୍ନବିନାଶକ,ଗୌରୀନନ୍ଦନ ଗଜାନନ । ସାରା ଦେଶରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ବିଘ୍ନ ବିନାୟକ ଗଣେଶଙ୍କୁ ସ୍ୱାଗତ କରିଛନ୍ତି ସଭିଏଁ। ବିଭିନ୍ନ ଥିମ୍ରେ ସଜା ହୋଇଛି ପେଣ୍ଡାଲମାନ। ଗାଁ ଠୁ ସହର ବିଭିନ୍ନ କ୍ଳବ ଓ ସଂଗଠନ ପକ୍ଷରୁ ଅଗ୍ରପୂଜ୍ୟଙ୍କୁ ପୂଜାଅର୍ଚ୍ଚନା କରାଯାଇଛି। ଅନ୍ୟପଟେ ରାଜଧାନୀରେ ଗଣେଶ ପୂଜାକୁ ଶୃଙ୍ଖଳିତ ଭାବେ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଗଜାନନଙ୍କୁ ଭକ୍ତମାନେ ଯେପରି ଭଲଭାବେ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡ୍ କରାଯାଇଛି।
ଗଣେଶ ପୂଜା ପଛରେ ରହିଛି ପୌରାଣିକ କାରଣ। ପରମ୍ପରା ଅନୁଯାୟୀ ବିଘ୍ନବିନାଶକ ଗଣେଶକୁ ପ୍ରଥମେ ପୂଜା କରାଯାଉଥିବାରୁ ତାଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗଜାନନଙ୍କୁ ଆବାହନ କରାଯାଏ। କାରଣ ସେ ହେଉଛନ୍ତି ସର୍ବ ଶକ୍ତିର ଆଧାର,ଦୁଃଖ ବିନାଶନ ଗଜାନନ ଗଣେଶ।