ଓଡ଼ିଶା365(ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବକ୍ତବ୍ୟକୁ ନେଇ ଭାରତ ଖପ୍ପା। କାନାଡାରେ ଭାରତ ବିରୋଧୀ ସ୍ବର ଉଠାଉଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ କରି କାମ କରୁଛି କାନାଡା ସରକାର। କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଛନ୍ତି ଟ୍ରୁଡୁ । ଭାରତ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି । ଏହା ସହ ଭାରତ କହିଛି ଯେ କାନାଡା ମାଟିରେ ଭାରତ ବିରୋଧୀ ତତ୍ବ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
କାନାଡାରେ ଦୁଇ ପ୍ରତିଶତ ଖଲିସ୍ତାନୀ ସମର୍ଥକ ଲୋକ ବାସ କରୁଛନ୍ତି । ସେମାନଙ୍କ ଭୋଟ ହାତେଇବା ପାଇଁ ଟ୍ରୁଡୋ ଏପରି ଅଭିଯୋଗ ଆଣିଛନ୍ତି । ଯାହାର ଫଳ ସ୍ବରୂପ ଆଗାମୀ ନିର୍ବାଚନରେ ଶିଖ ଭୋଟ ତାଙ୍କୁ ମିଳିବ ବୋଲି ସେ ଆଶା କରିଛନ୍ତି । କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲିଙ୍କ ପରେ କାନାଡା ପ୍ରଧାନମନ୍ତ୍ରୀ ସିଧା କହିଛନ୍ତି ଯେ କାନାଡାରେ ଖଲିସ୍ତାନୀ ନାଗରିକଙ୍କ ମୃତ୍ୟୁ ପାଇଁ ଭାରତୀୟ ଏଜେଣ୍ଟ ଦାୟୀ । ଏହି ଅଭିଯୋଗ ଆଣି କାନାଡାର ଟ୍ରୁଡୋ ସରକାର ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ରୁଡୋ କାନାଡା ସଂସଦରେ ଭାରତକୁ ଦାୟୀ କରିଛନ୍ତି । କିନ୍ତୁ ତାହାର ପ୍ରମାଣ କିଛି ଦେଇନାହାଁନ୍ତି । ଖଲିସ୍ତାନୀ କାର୍ଯ୍ୟକଳାପରେ ଜଡିତ ଥିବା ହରଦୀପ ନଜରଙ୍କୁ ୧୮ଜୁନରେ ଗୁରୁଦ୍ୱାର ବାହାରେ ହତ୍ୟା କରାଯାଇଥିଲା।
ଟ୍ରୁଡୋ ଦାବି କରିଛନ୍ତି କାନାଡାର ଗୁପ୍ତଚର ଏଜେନ୍ସିମାନେ ଏହି ହତ୍ୟାକାଣ୍ଡ ଉପରେ ଦୃଷ୍ଟି ରଖିବା ସହ ତଦନ୍ତ ଜାରି କରିଛନ୍ତି । ତେବେ କାନାଡା ପ୍ରଧାନମନ୍ତ୍ରୀ କାହିଁକି ଏପରି କହିଲେ ଏଥିରେ ରାଜନୀତିକ ଗନ୍ଧ ରହିଛି । କାନାଡାରେ ପ୍ରଧାନମନ୍ତ୍ରୀଙ୍କ ଦିନକୁ ଦିନ ଲୋକପ୍ରିୟତା ହ୍ରାସ ପାଉଛି । କିଛି ସର୍ଭେ ଦର୍ଶାଇଛନ୍ତି ଯେ ଟ୍ରୁଡୋ-ନେତୃତ୍ୱାଧୀନ ସରକାରଙ୍କ ଲୋକପ୍ରିୟତା କମି କମି ଯାଉଛି । ବିରୋଧୀ ଦଳର ଲୋକପ୍ରିୟତା ବଢ଼ୁଛି । ଏବେ ମାତ୍ର ୨୯% କାନାଡା ଲୋକ ତାଙ୍କ ସରକାରକୁ ପସନ୍ଦ କରୁଛନ୍ତି । କାନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି ମଧ୍ୟ ଖରାପ ହୋଇଯାଇଛି, କାରଣ କେବଳ ୨୭% ତାଙ୍କ ସରକାର ପୁନର୍ବାର ସରକାର ଗଢ଼ିବା ଚାହୁଁଛନ୍ତି । କାନାଡାର ୫୬% ଲୋକ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । କାନାଡା ଜନସଂଖ୍ୟା ମଧ୍ୟରେ ଟ୍ରୁଡୋଙ୍କ ନକାରାତ୍ମକ ଭାବନା ଜୁନ୍ ୨୦୨୧ରେ ୩୯% ଥିଲା, ଯାହା ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୦% ବୃଦ୍ଧି ପାଇଛି। ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ କାନାଡା ପ୍ରଧାନମନ୍ତ୍ରୀ ଶିଖ ଭୋଟ ହାସଲ କରିବାକୁ ଚାହୁଁଛନ୍ତି । କାନାଡାରେ ଖାଲିସ୍ତାନୀ ଭୋଟରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ସବୁଠୁ ବଡ଼ କଥା ହେଉଛି ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡାରେ ଖାଲିସ୍ତାନୀ ଉପାଦାନ ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଥିଲେ । ଭାରତ ବିରୋଧୀ ଉପାଦାନଗୁଡିକୁ କାନାଡାରେ ପରିଚାଳନା କରିବାକୁ ନେଇ ମୋଦି ଆଲୋଚନା କରିଥିଲେ । ଯାହା ଫଳରେ ଟ୍ରୁଡୁ ଏପରି କହିଛନ୍ତି । ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା କରିବାକୁ ଖାଲିସ୍ତାନବାସୀ ଖୋଲାଖୋଲି ସୋସିଆଲ ମିଡିଆରେ ଆହ୍ବାନ ଦେଇଛନ୍ତି । କାନାଡାରେ ପ୍ରାୟ ୭,୭୦,୦୦୦ ଶିଖ୍ ବାସ କରନ୍ତି, ଯାହା ଏହାର ଜନସଂଖ୍ୟାର ପ୍ରାୟ ୨% ଅଟେ । ଏମାନଙ୍କ ଭୋଟ ପାଇଁ ଟ୍ରୁଡୋ ଯେକୈାଣସି ସ୍ତରକୁ ଯାଇପାରନ୍ତି । ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଏବେ କୁଟନୀତିକ ଉଷ୍ମତା ବୃଦ୍ଧି ପାଇଛି । ଏପରିକି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ମିଶନକୁ ବାତିଲ ହୋଇଛି ।