ଓଡ଼ିଶା365(ବ୍ୟୁରୋ): ବିବାହ ପାଇଁ ମନା କରିବାରୁ ମୁଣ୍ଡକୁ ଚଢ଼ିଗଲା ରାଗ। ଦିବ୍ୟାଙ୍ଗ ଯୁବତୀଙ୍କୁ ହତ୍ୟା କରି ମୃତଦେହକୁ ଗଛରେ ଟାଙ୍ଗିଦେଲା ଯୁବକ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରୁ ଆସିଛି ଏଭଳି ସମ୍ବେଦନଶୀଳ ମାମଲା । ଏହି ମାମଲାରେ ପୁଲିସ ଜଣକୁ ଗିରଫ କରିଛି। ପୁଲିସ ଅଧୀକ୍ଷକ ଅମିତ କୁମାର କହିଛନ୍ତି, ଅଭିଯୁକ୍ତ ଯୁବକ କୁଲଦୀପ ଗେହଲଟଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ସେ କହିଛନ୍ତି ଶୁକ୍ରବାର ମୃତକଙ୍କ ମାମୁ ଧାମୋତର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, ତାଙ୍କ ଦିବ୍ୟାଙ୍ଗ ଭାଣିଜୀ ଘରେ କାହାକୁ ନ ଜଣାଇ କୁଆଡେ ଚାଲିଯାଇଛନ୍ତି। ତେବେ ଶନିବାର ଦେବଗଡ ସର୍କଲ ପୁଲିସ ଷ୍ଟେସନର ଖୁଣ୍ଟଗଡ ଜଙ୍ଗଲରେ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରେ ଏହା ସେହି ଯୁବତୀଙ୍କର ମୃତଦେହ ବୋଲି ଜଣାପଡିଥିଲା।
ପୁଲିସ ଅଧୀକ୍ଷକ କହିଛନ୍ତି , ସାଇବର ସେଲ ସାହାଯ୍ୟରେ ସ୍ୱତନ୍ତ୍ର ପୋଲିସ ଟିମ୍ ପଚରାଉଚରା ପରେ ଅଭିଯୁକ୍ତ କୁଲଦୀପ ଗେହଲଟଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତ ଯୁବତୀଙ୍କୁ ଖୁଣ୍ଟଗଡ ଜଙ୍ଗଲକୁ ନେଇଥିବା ଏବଂ ବିବାହ ପାଇଁ ଚାପ ପକାଇଥିବା ସ୍ୱୀକାର କରିଛି। ମାତ୍ର ସେ ବିବାହ ପାଇଁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ରାଗିଯାଇ ନାବାଳିକାକୁ ଗଳା ଚିପି ହତ୍ୟା କରିଥିଲା ଏବଂ ତା’ପରେ ଶରୀରକୁ ଏକ ଗଛରେ ଟାଙ୍ଗି ଦେଇଥିବା କହିଛି।